ବନ୍ୟା ପ୍ରଭାବିତ ଅଞ୍ଚଳର ଜନ ସମସ୍ୟା ବାବଦରେ ଜଣାଇଲେ
ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବି
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡି ଉପସଭାପତି ଶ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରଭାବିତ ଲୋକ ମାନଙ୍କୁ ଭେଟିଛି ବିଜେଡି ଟିମ୍ । ସେମାନଙ୍କ ସମସ୍ୟା, ଅସୁବିଧା ଓ ତୁରନ୍ତ ଆବଶ୍ୟକତା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଛନ୍ତି ।
କେନ୍ଦ୍ରାପଡ଼ା ଗସ୍ତ ସମୟରେ ଶ୍ରୀ ଜେନା ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟା ପ୍ରଭାବିତ ପରିବାର ଗୁଡ଼ିକୁ ରିଲିଫ୍, ଖାଦ୍ୟ, ପାନୀୟ ଜଳ, ଆଶ୍ରୟ, ସ୍ୱାସ୍ଥ୍ୟସେବା, ଗୋଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ । ସେ ବାବଦରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଲୋକେ ପାଣି ଘେରରେ ଥିବା ବେଳେ ସେମାନଙ୍କୁ କୌଣସି ସହାୟତା ଯୋଗାଇ ଦିଆଯାଉନାହିଁ । ପ୍ରଭାବିତ ପରିବାରଙ୍କୁ ସରକାର ତୁରନ୍ତ ପର୍ଯ୍ୟାପ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା । ଏହା ସହିତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ସେ ଆଲୋଚନା କରିଥିଲେ । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ଆକଳନ କରିବାରେ ଏବଂ ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବନ୍ୟା ଆସିବାର ଦୁଇ ସପ୍ତାହ ପରେ ବି ଏଯାଏ ଜିଲ୍ଲାର ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ମଧ୍ୟ ପହଞ୍ଚି ନାହିଁ । ବନ୍ୟା ପାଣି ପଶି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନଟିଏ ମଧ୍ୟ ମିଳିନାହିଁ । କିଛି କିଛି ସ୍ଥାନରେ ଲୋକଙ୍କୁ ଚୁଡ଼ା ଗଣ୍ଡାଏ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି । ଏହିପରି କାର୍ଯ୍ୟ ପାଇଁ ସରକାରୀ ଉଦାସୀନତାକୁ ଦାୟୀ କରିଛନ୍ତି । ଶ୍ରୀ ଜେନା ଡଙ୍ଗାରେ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ । ଯାହାକୁ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବିପନ୍ନ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସଂପର୍କରେ ଅବଗତ କରାଇ ଥିଲେ । ଜିଲ୍ଲାର ଶହ ଶହ ଗାଁ ଏବେ ବି ପାଣି ଘେରରେ ଥିବା ବେଳେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ତେଣୁ ତୁରନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଅନ୍ତୁ ବୋଲି କହିଥିଲେ । ଏହା ବ୍ୟତୀତ ବନ୍ୟା ଅଞ୍ଚଳରେ ବୁଡ଼ି ରହିଥିବା ଉଠା ଜଳସେଚନ ପଏଣ୍ଟ, ବିଦୁ୍ୟତ ଭିତ୍ତିଭୂମିର ପୁନରୁଦ୍ଧାର କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ସେ ଦୃଢ ଦାବି କରିଥିଲେ । ଉକ୍ତ ସମୟରେ ବିଧାୟକ ଗଣେଶ୍ୱର ବେହେରା, ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବପ୍ରସାଦ ଭୋଳ, ଯୁବ ସଭାପତି ରାଜେଶ ଦାସ, କେନ୍ଦ୍ରାପଡା ମୁ୍ୟନିସିପାଲିଟି ଚେୟାରମ୍ୟାନ ଓ କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସରିତା ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ଉପସଭାପତି ଭୀଷ୍ମ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ପ୍ରିୟଦର୍ଶିନୀ ତରେଇ, ଭୀମସେନ ଭୂୟାଁ, ରାଜେଶ ପଣ୍ଡାଙ୍କ ସମେତ ବହୁ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ବିଜେଡି ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଉପସ୍ଥିତ ଥିଲେ ।










