ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ମାଳ ମାଳ ସାଂଘାତିକ ତ୍ରୁଟି ରହିଛି । ବିଜେପି ସରକାର ତାହାର ସଂଶୋଧନ ନକରି ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାକୁ ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ଶିକ୍ଷା ବଞ୍ଚାଅ ଆନେ୍ଦାଳନ ହୋଇଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଡାବୁଗାଁ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ପୂର୍ବତନ ବିଧାୟକ ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ ପ୍ରମୁଖ ଉପସ୍ଥିତିରେ ନବରଙ୍ଗପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ ହୋଇଛି ।ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ତାଙ୍କ ଇସ୍ତଫା ଦାବି କରି ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମ ହୋଇଥିଲା ।
ଚାମୁରିଆଗୁଡ଼ା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୫୦ କୋଟି ଟଙ୍କା ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି । ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ଦାବି କରାଯାଇଛି । ସତ୍ୟ ସର୍ବସମ୍ମୁଖକୁ ଆସିଲେ ଦୋଷୀ ବ୍ୟକ୍ତି, ଅଧିକାରୀ ଓ ଏଜେନ୍ସି ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଜେଡି ଦାବି କରିଛି । ଛାତ୍ରଛାତ୍ରୀ ମାନେ ଉକ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ପରୀକ୍ଷା ଦେଲେ ଭବିଷ୍ୟତ ନଷ୍ଟ ହେବ । କିନ୍ତୁ ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଯାହାକୁ ନେଇ ଯୁବ ଓ ଛାତ୍ର କର୍ମୀ ମାନେ ଦୃଢ଼ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ସରକାର ବିରୋଧରେ ନାରାବାଜି କରିବା ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବିଜେଡି ପକ୍ଷରୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିର ସମାଧାନ ଓ ଛାତ୍ରଛାତ୍ରୀଙ୍କ ହିତ ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆନେ୍ଦାଳନ ଜୋରଦାର ଜାରି ରହିବ । ତକ୍ରାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ୫-ଟି ଯୋଜନା ପାଇଁ ଓଡ଼ିଶା ସବୁଠୁ ପ୍ରଶଂସିିତ ହୋଇଥିବା ବେଳେ ଆଜି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ । ଉପସ୍ଥିତି ନେତୃତ୍ୱ ମାନେ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ । ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଜିଲ୍ଲା ଯୁବ ସଭାପତି ଗୁପ୍ତ ପ୍ରସାଦ ଝଙ୍କାର, ଦିଲୁ ପଣ୍ଡା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବାବୁ ଖାନ, ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଦେବାଶିଷ ଖଡ଼ଙ୍ଗା ଓ ସୁଶ୍ରୀ ସସ୍ମିତା ମେଲେକା, ରାଜ୍ୟ ଉପସଭାପତି ଶିଳ୍ପା ପାଣି ଓ ଅରୂପ ଶ୍ରୀଚନ୍ଦନ, ରାଜ୍ୟ ସାଧାରଣ ସମ୍ପାଦକ ଶଙ୍କର ସାଉଁତା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଦିବ୍ୟସିଂହ ସେଠୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଅରୁଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, ଜିଲ୍ଲା ଛାତ୍ର ସଭାପତି ହୃଦୟାନନ୍ଦ ନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁମିତ ପୂଜାରୀ ଏବଂ ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀନିବାସ ମୁଦୁଲିଙ୍କ ସମେତ ହଜାର ହଜାର ଯୁବ-ଛାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ଦାବିରେ ଦୃଢ ସ୍ୱର ଉପସ୍ଥାପନ କରିଥିଲେ ।










