ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁକ୍ତ ଦୁଇ ଛାତ୍ରଙ୍କୁ ହତ୍ୟା ଅଭିଯୋଗ । ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ସୂଚନା ଅନୁସାରେ, ଯୁକ୍ତ ଦୁଇରେ ପଢ଼ୁଥିବା ଦେବାଶିଷ କିଷାନ ଓ କୁଲଦୀପଙ୍କ ଉପରେ ୪ ଜଣ ଦୁର୍ବୃତ୍ତ ମିଳିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।ଆକ୍ରମଣରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନା ପରିସରରେ ମୃତଦେହ ପଡ଼ି ରହିଛି ଏବଂ ସେଠାରେ ଉତ୍ତେଜନା ଜାରି ରହିଛି । ମୃତ ଛାତ୍ରଙ୍କ ଘର ବୋରିଗୁମା ବ୍ଲକର କେବିଦି ଗାଁରେ ବୋଲି ଜଣାପଡ଼ିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ୪ ଜଣ ଯୁବକ ଜୟପୁର ସହର ନିକଟସ୍ଥ ଉମୁରି ଗାଁର ବୋଲି ସୂଚନା ମିଳିଛି ।ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଏବେ ପ୍ରଶ୍ନ ଉଠୁଛି ଯୁକ୍ତ ଦୁଇ ଛାତ୍ରଙ୍କୁ କାହିଁକି ଏଭଳି ଆକ୍ରମଣ କରାଗଲା? ଏହି ହତ୍ୟା ପଛରେ ପ୍ରକୃତ କାରଣ କ’ଣ? ଏବଂ ଫେରାର ଅଭିଯୁକ୍ତମାନେ କେବେ ଧରାପଡ଼ିବେ?










