29.1 C
Bhubaneswar
Thursday, August 20, 2026
Homeଓଡିଶାପ୍ରତିଦିନ ହେଉଛି ପ୍ରାୟ ଏକ ଲକ୍ଷ ଚାଷୀଙ୍କ ପଞ୍ଜିକରଣ

ପ୍ରତିଦିନ ହେଉଛି ପ୍ରାୟ ଏକ ଲକ୍ଷ ଚାଷୀଙ୍କ ପଞ୍ଜିକରଣ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଲେଣି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଞ୍ଜିକରଣ ପ୍ରକ୍ରିୟା ଅବଧି ଶେଷ ହେବାକୁ ଯାଉଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରୁଥିବା ଦୃଷ୍ଟିକୁ ଆସିଛି । ଏଥି ନିମନ୍ତେ ଚାଷୀ ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିିତି, ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ପାଣି ପଞ୍ଚାୟତରେ ପଞ୍ଜିକରଣ କରାଯାଉଛି । ଏଥିରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହ ଏବେ ଦୈନିକ ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜିକରଣ କରୁଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ଏହି ପଞ୍ଜିକରଣ ପ୍ରକ୍ରିୟା ସମସ୍ତ ଜିଲ୍ଲାରେ ଜାରି ରହିଛି । ବରଗଡ଼ ଜିଲ୍ଲାରେ ପ୍ରାୟ ୬୦ ହଜାର ଚାଷୀ ପଞ୍ଜିକରଣ କରିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୩ ହଜାର, କଳାହାଣ୍ଡିରେ ୪୦ ହଜାର ଓ ପୁରୀ ଜିଲ୍ଲାରେ ପ୍ରାୟ ୨୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୯୦୭ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି ।

ସଂପୃକ୍ତ ପ୍ୟାକ୍ସଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଚାଷୀମାନଙ୍କ ଆଧାର ନମ୍ବର, ମୋବାଇଲ ନମ୍ବର, ପି-ପାସ୍‌ ମାଧ୍ୟମରେ ଦାଖଲ କରି ପଞ୍ଜିକରଣ ପ୍ରକ୍ରିୟା ଶେଷ କରାଯାଉଛି ଏବଂ ବିନା ଶୁଳ୍କରେ ଚାଷୀମାନଙ୍କୁ ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ କରାଯାଉଛି। ପଞ୍ଜିକରଣ ବେଳେ ପ୍ରଦତ୍ତ ତଥ୍ୟକୁ ନିର୍ଭୁଲ କରିବା ପାଇଁ ଚାଷୀଙ୍କ ଉପସ୍ଥିତିରେ ପଞ୍ଜିକରଣ ସଂପନ୍ନ କରାଯାଉଛି । ଚଳିତ ବର୍ଷର ବ୍ୟବସ୍ଥା ଅନୁଯାୟୀ ଚାଷୀମାନଙ୍କୁ ସମିତିର କର୍ମଚାରୀ ମାନେ ନିଜ ପାଖରେ ବସାଇ ପଞ୍ଜିକରଣ କାର୍ଯ୍ୟ କରାଉଛନ୍ତି ଯାହାଦ୍ୱାରା ଦାଖଲ ହେଉଥିବା ସମସ୍ତ ତଥ୍ୟ ଚାଷୀମାନେ ଜାଣି ପାରୁଛନ୍ତି । ପଞ୍ଜିକରଣ ବେଳେ ସୋସାଇଟି ମାନଙ୍କରେ ସହାୟତା କେନ୍ଦ୍ର ଖୋଲାଯାଇ ଆବେଦନାକାରୀଙ୍କୁ ଯଥାଯଥ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି। ଏଥି ସହ ଭାଗଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ, ମୋବାଇଲ୍‌ ନମ୍ବର, ପି-ପାସ୍‌ ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହ ଜମି ମାଲିକଙ୍କ ସମ୍ମତି ପତ୍ର ଅପ୍‌ଲୋଡ୍‌ କରାଯାଉଛି । ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାସି ମଧ୍ୟ ସଂପନ୍ନ କରାଯାଉଛି । ଚଳିତ ପଞ୍ଜିକରଣ ପ୍ରକ୍ରିୟା ବିଭିନ୍ନ ବିଭାଗ ଯଥା-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି । ପଞ୍ଜିକରଣବେଳେ ସଂପୃକ୍ତ ଅଞ୍ଚଳର ଭିଏଡବ୍ଲୁ୍ ସମିତିରେ ଉପସ୍ଥିତ ରହୁଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ ଦେଉଛନ୍ତି । ଯଥାଶୀଘ୍ର ନିଜ ନିଜର ପଞ୍ଜିକରଣ କରାଇନେବା ପାଇଁ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜାରି ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାକୁ ଅନୁରୋଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking