ଗୁଜରାଟ: ଗୁଜରାଟରେ ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଥିବା ସତ୍ତ୍ୱେ ସାମ୍ନାକୁ ଆସିଛି ବିଷାକ୍ତ ମଦର ଭୟଙ୍କର ଘଟଣା । ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ପୁଲିସ ଓ ରାଜ୍ୟ ମନିଟରିଂ ସେଲ୍ର ତଦନ୍ତ ଜୋରଦାର ହୋଇଛି ।ଘଟଣାର ଖବର ସାମ୍ନାକୁ ଆସିଥିଲା ମଙ୍ଗଳବାର । ୨୫ ବର୍ଷୀୟ ଉପେନ୍ଦ୍ରସିଂହ ଗୋହିଲଙ୍କର ଭାବନଗରର ସାର୍ ଟି ହସ୍ପିଟାଲରେ ମୃତ୍ୟୁ ପରେ ବିଷାକ୍ତ ମଦ ପିଇବା ଘଟଣା ନେଇ ସୂଚନା ମିଳିଥିଲା। ଜଣାପଡ଼ିଛି ଯେ, ରବିବାର ରାତିରେ ଉପେନ୍ଦ୍ରସିଂହ ତାଙ୍କ ଦୁଇ ବନ୍ଧୁଙ୍କ ସହ ମଦ ପିଇଥିଲେ । ଜଣେ ବନ୍ଧୁଙ୍କ ପୁଲିସ ଚାକିରି ହେବା ଖୁସିରେ ଏହି ପାର୍ଟି ହୋଇଥିଲା ।ମଦ ପିଇବା ପରେ ଅନେକଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । କେତେକଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିବା ବେଳେ କିଛି ଲୋକଙ୍କ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥିବା ସୂଚନା ମିଳିଛି । ଅନ୍ୟ ମୃତକଙ୍କ ମଧ୍ୟରେ ୪୦ ବର୍ଷୀୟ କାର୍ତ୍ତିକ ମକୱାନା ଓ ୫୦ ବର୍ଷୀୟ ଘନଶ୍ୟାମସିଂହ ଜାଡେଜା ଅଛନ୍ତି । ଘଟଣାରେ ଏବେ ଅବୈଧ ମଦ ତିଆରି ଓ ବିକ୍ରି ଉପରେ ତଦନ୍ତ କେନ୍ଦ୍ରିତ ହୋଇଛି । ପୁଲିସ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଅଟକ ରଖିଥିବା ବେଳେ ୨୧ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ।










