28.1 C
Bhubaneswar
Friday, August 21, 2026
Homeଓଡିଶାବାଲେଶ୍ଵର ବନ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ବାଲେଶ୍ଵର ବନ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ବିଫଳ: ବିଜେଡି

ଶହ ଶହ ଗାଁ ପାଣି ଘେରରେ, ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ବର୍ଷା ଓ ବନ୍ୟାରେ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ଖରିଫ ଧାନଚାଷ
ଦୁଇ ସପ୍ତାହ ପରେ ବି ଲୋକଙ୍କ ପାଖରେ ପହଞ୍ଚିନି ରିଲିଫ୍ କି ପଲିଥିନ୍
ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ସହ କୃଷି ଋଣ ଛାଡ଼ କରିବାକୁ ଦାବି

ଭୁବନେଶ୍ଵର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ଆକଳନ କରିବାରେ ଏବଂ ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବନ୍ୟା ଆସିବାର ଦୁଇ ସପ୍ତାହ ପରେ ବି ଏଯାଏ ଜିଲ୍ଲାର ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ମଧ୍ୟ ପହଞ୍ଚି ନାହିଁ । ବନ୍ୟା ପାଣି ପଶି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନଟିଏ ମଧ୍ୟ ମିଳିନାହିଁ । କିଛି କିଛି ସ୍ଥାନରେ ଲୋକଙ୍କୁ ଚୁଡ଼ା ଗଣ୍ଡାଏ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରିଦେଇଛି ।

ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ରାଜ୍ୟ ବିଜେଡି ଉପସଭାପତି ସଂଜୟ ଦାସବର୍ମା ଏଭଳି ଅଭିଯୋଗ ଆଣିଛନ୍ତି ଏବଂ ଏହି ବିଫଳତା ପାଇଁ ସରକାରୀ ଉଦସୀନତା ଓ ପ୍ରଶାସନିକ ଅପାରଗତାକୁ ଦାୟୀ କରିଛନ୍ତି ।
ଶ୍ରୀ ଦାସବର୍ମାଙ୍କ ନେତୃତ୍ୱର ବିଜେଡିର ଏକ ପ୍ରତିନିଧିଦଳ ଆଜି ସକାଳେ ଭୋଗରାଇ ବ୍ଲକରୁ ବନ୍ୟାଞ୍ଚଳ ପରିଦର୍ଶନ ଆରମ୍ଭ କରିଥିଲେ । ଡଙ୍ଗାରେ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲେ । ପରେ ବାଲିଆପାଳ ଓ ବସ୍ତା ବ୍ଲକ୍ ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବିପନ୍ନ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ ।

ସନ୍ଧ୍ୟାରେ ବାଲେଶ୍ଵର ଷ୍ଟେସନ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟେ କରି ଶ୍ରୀ ଦାସବର୍ମା କହିଥିଲେ ଯେ ବାଲେଶ୍ଵରବାସୀଙ୍କ ପାଇଁ ବନ୍ୟା ନୂଆ ନୁହେଁ । କିନ୍ତୁ ଏ ସରକାର ପ୍ରବଳ ବର୍ଷା ଏବଂ ତଦଜନିତ ବନ୍ୟାକୁ ଠିକ୍ ଭାବେ ଆକଳନ କରିପାରିଲେ ନାହିଁ କି ବନ୍ୟାକୁ ପରିଚାଳନା କରିପାରିଲେ ନାହିଁ । ବର୍ଷା ପାଣିରେ ବାଲେଶ୍ଵର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାବେଳେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନେଇ ପାରିଲେ ନାହିଁ । ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, କାଂଶବାଂଶ, ଜଳକା ଓ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟାକୁ ମୁକାବିଲା କରିବାରେ ବିଫଳ ହେଲେ ।

ଶ୍ରୀ ଦାସବର୍ମା ଆହୁରି କହିଲେ ଯେ ଚଳିତ ବର୍ଷାର ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାର ଶହ ଶହ ଗାଁ ଏବେ ବି ପାଣି ଘେରରେ ଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଏଯାଏ ଲୋକଙ୍କୁ ଚାଉଳ ଗଣ୍ଡେ ଦିଆଯାଇନି । ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ ଓ ପଲିଥିନ ଆଦି ନ ପହଞ୍ଚିବା ସରକାରଙ୍କ ଚରମ ବିଫଳତାକୁ ପଦାରେ ପକାଇ ଦେଇଛି । ତେଣୁ ସରକାର ତୁରନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଅନ୍ତୁ । ବନ୍ୟା ଯୋଗୁଁ ଦୁଇ ଦୁଇ ଥର ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ରିଲିଫ କୋର୍ଡ ଅନୁସାରେ କ୍ଷତିପୂରଣ ପ୍ରଦାନ ସହ କୃଷିଋଣ ଛାଡ଼ କରିବାକୁ ସେ ଦାବି କରିଥିଲେ । ଏହା ବ୍ୟତୀତ ବନ୍ୟା ଅଞ୍ଚଳରେ ବୁଡ଼ି ରହିଥିବା ଉଠାଜଳସେଚନ ପଏଣ୍ଟ, ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ସେ ଦୃଢ ଦାବି କରିଥିଲେ । ଶେଷରେ ସେ ବାଲେଶ୍ଵର ଜିଲ୍ଲାରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଆଲୋଚନା କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଆଜି ବନ୍ୟାଞ୍ଚଳ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ବରିଷ୍ଠ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଭୋଗରାଇ ବିଜେଡି ସଭାପତି ଗଣପତି ଗିରି, ବସ୍ତା ବିଜେଡି ସଭାପତି ମହାଦେବ ଦାସ, ବାଲିଆପାଳ ବିଜେଡି ସଭାପତି ଭଗବାନ ଗିରି ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ସ୍ୱରୂପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ରାଜ୍ୟ ଯୁବ ବିଜେଡିର କାର୍ୟ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking