କୋରାପୁଟ: ଗୋଟିଏ ରାତିରେ ଦୁଇଟି ଘରେ ବଡ଼ ଧରଣର ଚୋରି । କୋରାପୁଟ ସହରର ମେଘରାଜ ଆପାର୍ଟମେଣ୍ଟରେ ଏଭଳି ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦୁଇଟି ଘରେ ପଶି ଲୁଟପାଟ କରିଛନ୍ତି । ସୂଚନା ଅନୁସାରେ, ଗୋଟିଏ ଘରର ସଦସ୍ୟମାନେ ବିଶାଖାପାଟଣା ଯାଇଥିବା ବେଳେ ଘରେ ପଶି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ଲୁଟ୍ପାଟ କରିଛନ୍ତି । ଆଲମିରାରୁ ପ୍ରାୟ ଏକ ଲକ୍ଷ ଟଙ୍କା ନଗଦ ସହ ୨୦ ଭରି ସୁନା ଚୋରି ହୋଇଥିବା ଜଣାପଡ଼ିଛି ।
ସେହିପରି ଅନ୍ୟ ଏକ ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶିଥିଲେ ଚୋର । ସେଠାରୁ ପ୍ରାୟ ୨୫ ଭରି ସୁନା ଲୁଟ୍ ହୋଇଛି । ଦୁଇଟି ଘରୁ ମୋଟ ୪୫ ଭରି ସୁନା ଚୋରି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଘଟଣା ପରେ ପରିବାର ଲୋକେ କୋରାପୁଟ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ସହ ଲୁଟ୍ ହୋଇଥିବା ସୁନା ଓ ଟଙ୍କା ଉଦ୍ଧାର ପାଇଁ ପୋଲିସ ତଦନ୍ତ ଚଳାଇଛି ।










