ଜଳେଶ୍ୱର: ଜଳେଶ୍ୱରରେ ଜଣେ ଆଇନଜୀବୀଙ୍କ ଉପରେ ଭୁଜାଲିରେ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋର୍ଟରୁ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଆଇନଜୀବୀଙ୍କୁ ଜଳେଶ୍ୱର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ଜଳେଶ୍ୱର ପୋଲିସ। ଆଇନଜୀବୀ ଜଣକ ହେଲେ ସିଦ୍ଧାର୍ଥ ଦାସ ।
ଜଳେଶ୍ୱରର ବିଶିଷ୍ଟ ଆଇନଜୀବୀ ସିଦ୍ଧାର୍ଥ ଦାସ କୋର୍ଟରୁ ନିଜ କାର୍ଯ୍ୟ ସାରି ଫେରୁଥିବା ବେଳେ ଜାତୀୟ ରାଜପଥ-୧୬ର ଶାନ୍ତିଆ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ହଠାତ୍ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ଡାହାଣ ପାର୍ଶ୍ୱ କାନ୍ଧ ଓ ଦୁଇ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।ଡାକ୍ତରମାନେ ଆହତ ଆଇନଜୀବୀଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଘଟଣାର ଖବର ପାଇ ଜଳେଶ୍ୱର ପୋଲିସ ହସ୍ପିଟାଲରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।









