ଜଣେ ସାଲିସ ବିହୀନ ରାଜନେତାକୁ ହରାଇଲା ବିଜେଡି
ଜନସେବାରେ ବ୍ରତୀ ଥିଲେ ସୁଶାନ୍ତ: ବିଜେଡି
ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା ଓ କର୍ମୀ
ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦଶାହ ଅବସରରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଶୋକସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଉପସ୍ଥିତ ସମସ୍ତେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନୀରବ ପ୍ରାର୍ଥନା କରିଥିଲେ । ସେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ଜନନେତା ଓ ସୁସଙ୍ଗଠକ ଭାବେ ତାଙ୍କର ପରିଚୟ ରହିଛି । ଯାହାଙ୍କ ଜନସେବା କରିବା ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ଥିଲା । ଜଣେ ସାଲିସ ବିହୀନ ରାଜନେତା ଭାବରେ ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ତିନି ଥରର ବିଧାୟକ ଥିଲେ । ଏହାସହିତ କ୍ୟାବିନେଟ ମନ୍ତ୍ରୀ ଭାବେ ଅନେକ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଅନେକ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସିତ ଅବସ୍ଥାର ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗ ବିଜୁ ଜନତା ଦଳ ପାଇଁ ଅପୂରଣୀୟ କ୍ଷତି । ୧୭ ମାର୍ଚ୍ଚ ୧୯୭୩ରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଏକ ଅତି ସାଧାରଣ ଘରେ ଜନ୍ମ ଗ୍ରହଣ କରିଥିଲେ । ଦୁର୍ନୀତି ବିରୁଦ୍ଧରେ ଲଢ଼ିବାର ପ୍ରବୃତ୍ତି ତାଙ୍କୁ ରାଜନୀତି ଭିତରକୁ ଟାଣି ଆଣିଥିଲା । ସଂଘର୍ଷରୁ ସଫଳତା ପାଇ କ୍ରମାଗତ ୩ ଥର ବିଧାୟକ ହୋଇଥିଲେ । ଗୁରୁତର ଅସୁସ୍ଥତା ସତ୍ତ୍ୱେ ମେଡିକାଲ ବେଡ଼ରୁ ମଧ୍ୟ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଶେଷରେ ଦେହାନ୍ତ କରିଛନ୍ତି ।
ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ । ସ୍ୱର୍ଗତ ଶ୍ରୀ ସୁଶାନ୍ତ ସିଂହ ଜଣେ ଦକ୍ଷ ସଂଗଠକ, ଜନପ୍ରିୟ ଜନନେତା ଓ ନିଷ୍ଠାପର ଜନସେବକ ଥିଲେ । ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ବିକାଶ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସେ ନିଜ ଜୀବନକୁ ସମର୍ପିତ କରିଥିଲେ । ସ୍ୱର୍ଗତ ଶ୍ରୀ ସିଂହ ଲୋକଙ୍କ ଅଗାଧ ଆସ୍ଥା ଓ ଭଲପାଇବା ଅର୍ଜନ କରିଥିଲେ । ଯାହା ଫଳରେ ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ କ୍ରମାଗତ ଭାବେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ଏଥି ସହିତ ମନ୍ତ୍ରୀ ମଧ୍ୟ ହୋଇ ବିଭିନ୍ନ ଜନହିତକର ପଦକ୍ଷେପ ନେଇ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କର ସମଗ୍ର ରାଜନୈତିକ ଜୀବନରେ ସେ କୃଷକ, ଶ୍ରମିକ, ଯୁବବର୍ଗ, ମହିଳା ଓ ସମାଜର ଅବହେଳିତ ବର୍ଗର ସ୍ୱାର୍ଥ ପାଇଁ ସର୍ବଦା ସଂଗ୍ରାମ କରିଥିଲେ । ତାଙ୍କର ସରଳତା, ସାଧାସିଧା ଜୀବନଶୈଳୀ, ସାଂଗଠନିକ ଦକ୍ଷତା ଏବଂ ନିଷ୍ଠାପର ଜନସେବା ତାଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଅତ୍ୟନ୍ତ ସମ୍ମାନିତ ନେତାର ପରିଚୟ ଦେଇଥିଲା । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଥିଲେ । ଦଳକୁ ସୁଦୃଢ଼ କରିବାରେ ତଥା ଲୋକଙ୍କ ସେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଉପସ୍ଥିତ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଏହା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଓ ସାହସ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପ ସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀମତି ଟୁକୁନି ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଅରୁଣ ସାହୁ, ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ, ଡ. ଲେଖାଶ୍ରୀ ସାମନ୍ତସିଂହାର, ପ୍ରଶାନ୍ତ ମୁଦୁଲି, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ମହେଶ ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଶ୍ରୀ ବିଜୟ ନାୟକ, ସୁମିତ୍ରା ଜେନା, ମିନତୀ ବେହେରା, ସଂଜିତ ମହାନ୍ତି, ରିଜୱାନ ବେଗମ୍, ଆମଜାଦ ଖାନ୍ ପ୍ରମୁଖ ସମେତ ବିଭିନ୍ନ ସଂଗଠନର ପଦାଧିକାରୀ ଓ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ରହି ଭାବ ପୂର୍ଣ୍ଣ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।










