ଭୁବନେଶ୍ବର : ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲାର ଖଣ୍ଡପଡ଼ାରେ ସବୁଠୁ ଅଧିକ ୧୨୪.୬ ମି.ମି ବର୍ଷା ହୋଇଥିବା ବେଳେ ସମ୍ବଲପୁର ଜିଲାର କୁଚିଣ୍ଡାରେ ୧୧୫ମିମି, ବଟଗାଁରେ ୮୫ମିମି, ନାକଟିଦେଉଳରେ ୮୨ ମିମି ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ୧୧୦ମିମି ବର୍ଷା ହୋଇଥିବା ବେଳେ ଜିଲାର ଡେରାବିଶରେ ୧୦୮ମିମି, ରାଜକନିକାରେ ୧୦୨ମିମି ଏବଂ ପଟ୍ଟାମୁଣ୍ଡାଇରେ ୮୦ମିମି ବର୍ଷା ହୋଇଛି। ନବରଙ୍ଗପୁରରେ ୧୦୧.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦେବଗଡ଼ ଜିଲାର ରେମାଳରେ ୯୩.୨ ମିମି ବର୍ଷା ହୋଇଛି। ସେହିପରି, କେନ୍ଦୁଝର ଜିଲାର ଘସିପୁରାରେ ୯୦.୨ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୮୦.୩ମିମି ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।










