ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ବିଜେଡି କର୍ମୀଙ୍କୁ ଉଠାଇଲା ପୋଲିସ
ସାଂସଦଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ ବିରୋଧର ଭୟ ଘାରିଛି
ଭୁବନେଶ୍ୱର: ବିଜେପି ସରକାର ପୋଲିସ ପ୍ରଶାସନକୁ ହାତବାରିସି କରି ଗଣତାନ୍ତ୍ରିକ ଆନେ୍ଦାଳନ ଓ ପ୍ରଦର୍ଶନକୁ ଚପାଇ ଦେବାକୁ ଅପଚେଷ୍ଟା କରୁଛି । ସମ୍ୱଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପୋଲିସ ଗୁଣ୍ଡା ଭଳି ବ୍ୟବହାର କରି ବିଜେଡି କର୍ମୀଙ୍କୁ ଉଠାଇ ଥାନାରେ ଅଟକ ରଖିଛନ୍ତି । ଯାହାକୁ ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ପୂଜାରୀ କହିଛନ୍ତି ଯେ, ସାଂସଦ ଶ୍ରୀ ପ୍ରଧାନ ନିଜ ସଂସଦୀୟ କ୍ଷେତ୍ରର କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ବିରୋଧକୁ ଭୟ କରୁଛନ୍ତି । ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପୋଲିସକୁ ଗୁଣ୍ଡା କରି ବିଜେଡି କର୍ମୀଙ୍କୁ ଉଠାଇ ଥାନାରେ ବସାଇଛନ୍ତି । ତାଙ୍କର କାର୍ଯ୍ୟକଳାପ ପାଇଁ ନିଜ ସଂସଦୀୟ କ୍ଷେତ୍ରରେ ବୁଲିବାକୁ ଭୟ କରୁଛନ୍ତି । ସେଥିପାଇଁ ଗସ୍ତ ପୂର୍ବରୁ ପୋଲିସକୁ ଲଗାଇ ବିଜେଡି କର୍ମୀଙ୍କୁ ଉଠାଇଛନ୍ତି । ପୋଲିସ ପ୍ରଶାସନ ହାତବାରିସି ସାଜି ଶ୍ରୀ ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ବିଜେଡି କର୍ମୀ ମାନଙ୍କୁ ଘରୁ ଉଠାଇ ନେଇଛନ୍ତି । ଏହା ଅତି ଦୁର୍ଭାଗ୍ୟଜନକ କଥା । ପ୍ରଧାନମନ୍ତ୍ରୀ କିମ୍ୱା ମୁଖ୍ୟମନ୍ତ୍ରୀ ଆସିଲେ ବିରୋଧ ଭୟରେ କର୍ମୀ ମାନଙ୍କୁ ଅଟକ ରଖାଯାଇଥାଏ । କିନ୍ତୁ ଜଣେ ସାଂସଦଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ ବିରୋଧର ଭୟ ଘାରିଛି । ନିଜ ସଂସଦୀୟ କ୍ଷେତ୍ର ସମ୍ୱଲପୁରରେ ବୁଲିବା ପାଇଁ ସାଂସଦ ଶ୍ରୀ ପ୍ରଧାନଙ୍କ ସାହସ ନାହିଁ । ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସେ ଭୟଭୀତ ହୋଇ ଯାଇଛନ୍ତି । ଦିଲ୍ଲୀରେ ଛାତ୍ର ଆନେ୍ଦାଳନ ବେଳେ ଯେଉଁଭଳି ଭାବେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯାଇଛି, ତାହାକୁ ସବୁଠି ବିରୋଧ କରାଯାଉଛି । ନିଜ କାର୍ଯ୍ୟଶୈଳୀ ପାଇଁ ସେ ସବୁଠି ବିରୋଧର ସମ୍ମୁଖୀନ ହେଉଛନ୍ତି । ତେବେ ଆକ୍ରୋଶରେ ବିଜେଡି କର୍ମୀ ମାନଙ୍କୁ ଥାନାରେ ଅଟକ ରଖିବା କେତେ ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି । ସାଂସଦ ଶ୍ରୀ ପ୍ରଧାନ ଦିଲ୍ଲୀ ପରି ନିଜ ସଂସଦୀୟ କ୍ଷେତ୍ର ସମ୍ୱଲପୁରକୁ କାହିଁକି ଅଶାନ୍ତ କରିବାକୁ ଚାହୁଁଛନ୍ତି । ୩୦୦ ୟୁନିଟ ପର୍ୟ୍ୟନ୍ତ ମାଗଣା ବିଜୁଳି, ସମ୍ୱଲପୁରରେ ଦ୍ୱିତୀୟ ଏମ୍ସ, ସମ୍ୱଲପୁରୀ ଭାଷାର ବିକାଶ ସହ ସମ୍ୱଲପୁରର ବିକାଶ ପାଇଁ ସାଂସଦ ଶ୍ରୀ ପ୍ରଧାନ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ ପୂରଣ କରିପାରିଲେ ନାହିଁ । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ରହିଛି । ବିଜେପି ସରକାର ଲୋକଙ୍କ ଉନ୍ନତି କରିବା ବଦଳରେ ନିଜର ଓ ନିଜ ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି । ତେଣୁକରି ଲୋକଙ୍କୁ ସାମ୍ନା କରିବାକୁ ଡରୁଛନ୍ତି । ସମସ୍ତ ନୀତି ନିୟମକୁ ଭୁଲି ପୋଲିସ ପ୍ରଶାସନ ହାତବାରିସି ସାଜି ଗୁଣ୍ଡା ଭଳି ବ୍ୟବହାରର ନିନ୍ଦା କରିଛି ବିଜେଡି । ଯଦି ଏହିପରି କାର୍ଯ୍ୟରୁ ପୋଲିସ ପ୍ରଶାସନ ବିରତ ନରୁହେ, ଆଗାମୀ ଦିନରେ ବିଜେଡି ପକ୍ଷରୁ ଦୃଢ ବିରୋଧ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଯଦି ସାଂସଦ ଶ୍ରୀ ପ୍ରଧାନଙ୍କୁ ନିଜ ସଂସଦୀୟ କ୍ଷେତ୍ରକୁ ଏକୁଟିଆ ଆସିବାକୁ ଏତେ ଭୟ ଘାରିଛି, ତେବେ ତୁରନ୍ତ ସେ ପଦବୀରୁ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜେଡି କହିଛି ।










