ନୂଆଦିଲ୍ଲୀ: ଶନିବାର ସକାଳେ ହିମାଚଳ ପ୍ରଦେଶର ଚମ୍ବାର ଟିସା- ବୈରଗଡ ମୁଖ୍ୟ ରାସ୍ତାର ଚାଲୁଜ ମୋଡ ନିକଟରେ ଏକ ବଡ ଦୁର୍ଘଟଣା ଘଟିଛି । ବୈରାଗଡରୁ ଚମ୍ବା ଯାଉଥିବା ଏକ ଘରୋଇ ବସ ରାସ୍ତାରୁ ୧୦୦ ଫୁଟ ତଳକୁ ଖସି ପଡିବାରୁ ଡ୍ରାଇଭର ଏବଂ କଣ୍ଟକ୍ଟର ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ୧୧ ଜଣ ଆହତ ହୋଇଛନ୍ତି । ବସଟି ୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । ପୁଲିସ ଏବଂ ସ୍ଥାନୀୟ ଲୋକମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୭ ଜଣ ଆହତଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ଚମ୍ବାର ପଣ୍ଡିତ ଜବାହାରଲାଲ ନେହେରୁ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଦୁର୍ଘଟଣା ପରେ କିଛି ଲୋକ ବସ ଭିତରେ ଫସି ରହି ଯାଇଥିଲେ । ସ୍ଥାନୀୟ ଲୋକେ ଏବଂ ପଥଚାରୀ ଯାତ୍ରୀମାନଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ସାଢେ ୬ଟାରେ ଏକ ଘରୋଇ ବସ ବୈରାଗଡରୁ ଚମ୍ବା ଅଭିମୁଖେ ବାହାରିଥିଲା । ପ୍ରାୟ ତିନି କିଲୋମିଟର ଯାତ୍ରା କରିବା ପରେ ବସ ଟିସା- ବୈରଗଡ ମୁଖ୍ୟ ରାସ୍ତାର ଦେବୀ କୋଠି ନିକଟରେ ଚାଲୁଜ ମୋଡରେ ନିୟନ୍ତ୍ରଣ ହରାଇ ରାସ୍ତାରୁ ଖସିପଡିଥିଲା । ଚମ୍ବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାତଜଣଙ୍କର ମୃତ୍ୟୁ ଏବଂ ୧୧ ଜଣ ଆହତ ହୋଇଥିବାର ନିଶ୍ଚିତ କରିଛନ୍ତି । ମୃତକଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି । ସୂଚନାଥାଉକି, ଚମ୍ବାରେ ସଡକ ଦୁର୍ଘଟଣା ବାରମ୍ବାର ଘଟୁଛି ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବଡ ଦୁର୍ଘଟଣାରେ ୨୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।










