ଚେନ୍ନାଇ: ତାମିଲନାଡୁରେ ମଦ ବିକ୍ରି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ବିଜୟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାରଠାରୁ ”ଟାସମାକ୍” ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଅର୍ଡର ଓ କ୍ୟାସଲେସ୍ ପେମେଣ୍ଟ୍ ସୁବିଧା ଆରମ୍ଭ କରିଛନ୍ତି। ସରକାରୀ ମଦ ଦୋକାନଗୁଡ଼ିକରେ ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଗ୍ରାହକମାନେ ୱେବସାଇଟରେ ଅର୍ଡର ଓ ଅନଲାଇନ୍ ପେମେଣ୍ଟ୍ କରିବା ପରେ ନିର୍ଦ୍ଦିଷ୍ଟ ଟାସମାକ୍ ଆଉଟଲେଟରୁ ମଦ ସଂଗ୍ରହ କରିପାରିବେ।ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ମାନ୍ଦ୍ରାଜ ହାଇକୋର୍ଟ ଅଧିକ ଟଙ୍କା ଆଦାୟ ସମସ୍ୟା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି କର୍ମଚାରୀମାନେ ଅଧିକ ଟଙ୍କା ଦାବି କରନ୍ତି, ତେବେ ଗ୍ରାହକମାନେ ପୁଲିସରେ ଅଭିଯୋଗ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ମଦ ଦୋକାନଗୁଡ଼ିକରେ ପୁଲିସ୍ ମୁତୟନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅନ୍ୟ ରାଜ୍ୟ ଭଳି ତାମିଲନାଡୁରେ ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ବିଲ୍ ପ୍ରଦାନ କାହିଁକି କରାଯାଇପାରିବ ନାହିଁ ବୋଲି ବିଚାରପତି ଜଷ୍ଟିସ୍ ଜି.କେ. ଇଲାନ୍ଥିରାଇୟନ୍ ପ୍ରଶ୍ନ ଉଠାଇଛନ୍ତି।










