ଭୁବନେଶ୍ୱର: ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ସକାଳେ ଲୋକ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ମାନ୍ୟବର ରାଷ୍ଟ୍ରପତିଙ୍କୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରୁଥିବା ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଅଭିମୁଖେ ଗସ୍ତ ପୂର୍ବରୁ ଏହି ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରର ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଉପହାରରେ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରାପ୍ତ ତଥା ଜିଆଇ ଟ୍ୟାଗ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ବାନ୍ଧ ଶାଢ଼ୀ, ପିପିଲିର ପାରମ୍ପରିକ ଚାନ୍ଦୁଆ ଭେଲଭେଟ ଉତ୍ତରୀୟ ଏବଂ କଟକର ସୁକ୍ଷ୍ମ ରୂପା ତାରକସି କଳାରେ ନିର୍ମିତ ଭଗବାନ ଗଣେଶଙ୍କ ଏକ ପ୍ରତିମୂର୍ତ୍ତି ଥିଲା। ଏହି ଅନନ୍ୟ କଳାକୃତିଗୁଡିକ ଓଡ଼ିଶାର ଅତୁଳନୀୟ କାରିଗରୀ ଦକ୍ଷତା, ସମୃଦ୍ଧ ପରମ୍ପରା ଓ କଳାତ୍ମକ ଉତ୍କର୍ଷତାର ପରିଚୟ ବହନ କରିବା ସହ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି।










