ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କବାଦୀ ବିରୋଧୀ ରାଲିରେ ଆତ୍ମଘାତୀ ବିସ୍ଫୋରଣ । ଅତି କମରେ ୧୯ ଜଣଙ୍କ ମୃତ୍ୟୁ। ୨୦ରୁ ଅଧିକ ଲୋକ ଆହତ । ପାକିସ୍ତାନର ସ୍ୱାତ୍ ଜିଲ୍ଲାର କବାଲ ପୋଲିସ୍ ଷ୍ଟେସନ୍ ବାହାରେ ରବିବାର ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ଅଭିଯୁକ୍ତକୁ କବାଲ ଥାନା ଭିତରେ ପ୍ରବେଶ କରିବା ସମୟରେ ଦ୍ୱାର ନିକଟରେ ପୁଲିସ ଅଧିକାରୀମାନେ ତାଙ୍କୁ ରୋକିଥିଲେ । ଯାଂଚ କରିବା ପୂର୍ବରୁ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ପଦାର୍ଥ ବିସ୍ଫୋରଣ କରିଥିଲା । ନିରାପତ୍ତା ବାହିନୀ ତୁରନ୍ତ ସେହି ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛନ୍ତି ।ବିସ୍ଫୋରଣ ପୁଲିସ ଷ୍ଟେସନ୍ ନିକଟରେ ଘଟିଥିଲା । ଯେତେବେଳେ ନିକଟସ୍ଥ କବାଲ ଚୌକରେ ସ୍ୱାତ୍ ଉପତ୍ୟକାରେ ସାମ୍ପ୍ରତିକ ଆତଙ୍କବାଦ ବୃଦ୍ଧି ବିରୁଦ୍ଧରେ ଶହ ଶହ ଲୋକ ଏକ ପ୍ରତିବାଦ ରାଲିରେ ଯୋଗ ଦେଇଥିଲେ ସେହି ସମୟରେ ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ବିସ୍ଫୋରଣ ପ୍ରତିବାଦୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣର ଦାୟିତ୍ୱ ନେଇନାହିଁ ।










