ନୂଆଦିଲ୍ଲୀ: ମିଶରରେ ସୋମବାର ଭୋର ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହଠାତ ଭୂମିକମ୍ପ ଯୋଗୁଁ ଘରୋ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିମି ଗଭୀରତାରେ ଥିଲା । ଇଜିପ୍ଟର ଅଧିକାରୀମାନେ ସୁଏଜ ସହରରୁ ୩୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ଦେଇଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ମିଶର ଥିଲେ ମଧ୍ୟ ଏହାର ପ୍ରଭାବରେ କାଇରୋ, ଗିଜା ଏବଂ ଅନେକ ମିଶରର ଅନ୍ୟ ପ୍ରଦେଶ ସମେତ ପାଲେଷ୍ଟାଇନ , ଇସ୍ରାଏଲ , ଜୋର୍ଡାନ, ଲେବାନନ ଏବଂ ସାଇପ୍ରସର କିଛି ଅଞ୍ଚଳର ଲୋକମାନେ ମଧ୍ୟ ଭୁମିକମ୍ପର ଝଟକା ଅନୁଭବ କରିଥିଲେ । ଇଜିପ୍ଟର ରେଡ କ୍ରିସେଣ୍ଟ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ସକ୍ରିୟ କରିଛି । ମିଶରର ଏହି ବିଶାଳ ଅଞ୍ଚଳ ଏବଂ ଭୂମଧ୍ୟସାଗର ଏକ ସକ୍ରିୟ ଭୂମିକମ୍ପପ୍ରବଣ ଅଞ୍ଚଳ । ଏହି ଅଞ୍ଚଳରେ ପ୍ରାୟତଃ ୫ରୁ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ , ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ଘଟି ନଥାଏ ।










