ଭୁବନେଶ୍ୱର: ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଜାତୀୟ ସ୍ତରର ‘ଢାଇ ଅକ୍ଷର’ ପତ୍ରଲିଖନ ଅଭିଯାନ ଅନୁଷ୍ଠିତ ହେବ । ଏହି ଅଭିଯାନ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଅଭିଯାନର ବିଷୟବସ୍ତୁ ରଖାଯାଇଛି ‘‘ଏ ଲେଟର୍ ଟୁ ମଦର୍ ଆର୍ଥ: ମାଇ ପ୍ରମିଜ୍ ଟୁ ପ୍ରୋଟେକ୍ଟ ନେଚର୍’’ (ଧରିତ୍ରୀ ମା’କୁ ଗୋଟିଏ ଚିଠି: ପ୍ରକୃତିର ସୁରକ୍ଷା ପାଇଁ ମୋର ପ୍ରତିଶ୍ରୁତି । ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀଙ୍କ ପାଇଁ ଅନ୍ତର୍ଦେଶୀୟ ପତ୍ର ଏବଂ ଲଫାପା ବର୍ଗ ଭଳି ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
‘ଢାଇ ଅକ୍ଷର’ ପତ୍ରଲିଖନ ଅଭିଯାନରେ ଭାଗ ନେଉଥିବା ପ୍ରତିଯୋଗୀମାନେ ଲଫାପା ବର୍ଗରେ ଗୋଟିଏ ସାଦା ଏ-ଫୋର୍ ସାଇଜ୍ କାଗଜରେ ୧ ହଜାରରୁ କମ୍ ଶବ୍ଦ ମଧ୍ୟରେ ପତ୍ର ଲେଖିବେ । ସେହିପରି ଅନ୍ତର୍ଦେଶୀୟ ପତ୍ର ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ଇନଲ୍ୟାଣ୍ଡ ଲେଟର୍ରେ ପତ୍ର ଲେଖିପାରିବେ । ଏହି ପତ୍ର ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ ଯେକୌଣସି ଆଞ୍ଚଳିକ ଭାଷାରେ ଲେଖାଯାଇପାରିବ । କେବଳ ହସ୍ତଲିଖିତ ପତ୍ର ଗ୍ରହଣ କରାଯିବ । ଟାଇପ୍ ହୋଇଥିବା ପତ୍ର ଗ୍ରହଣ କରାଯିବ ନାହିଁ । ପ୍ରତିଯୋଗୀମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ସର୍କଲ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ସେମାନଙ୍କର ପତ୍ର ପଠାଇବା ଆବଶ୍ୟକ। ଏହି ତାରିଖ ପରେ ହସ୍ତଗତ ହୋଇଥିବା ପତ୍ରକୁ ଗ୍ରହଣ କରାଯିବ ନାହିଁ ।
ପ୍ରତ୍ୟେକ ବର୍ଗରେ ପ୍ରଥମ ପୁରସ୍କାର ବିଜେତାଙ୍କୁ ଡାକ ପରିମଣ୍ଡଳ ସ୍ତରରେ ୨୫ ହଜାର ଟଙ୍କା ଏବଂ ଜାତୀୟ ସ୍ତରରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଦ୍ୱିତୀୟ ପୁରସ୍କାର ପାଇଁ ଯଥାକ୍ରମେ ୧୦ ହଜାର ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ। ସେହିପରି ତୃତୀୟ ପୁରସ୍କାର ସ୍ୱରୂପ ଦୁଇଟି ସ୍ତରରେ ଯଥାକ୍ରମେ ୫ ହଜାର ଏବଂ ୧୦ ହଜାର ଟଙ୍କା ଦିଆଯିବ ।
ଅନ୍ୟପକ୍ଷରେ ଡାକ ବିଭାଗ ପକ୍ଷରୁ ଦୀନଦୟାଲ ସ୍ପର୍ଶ ଯୋଜନାରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପ୍ରଦାନ କରିବା ଲାଗି ଘୋଷଣା କରାଯାଇଛି । ଦୁଇଟି ସ୍ତରର ପ୍ରତିଯୋଗିତା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷାଗତ ରେକର୍ଡ ସହିତ ଫିଲାଟେଲି ଡିପୋଜିଟ୍ ଆକାଉଣ୍ଟ ରହିଥିବା କିମ୍ବା ସେ ସ୍କୁଲ୍ ଫିଲାଟେଲି କ୍ଲବର ସଦସ୍ୟ ହୋଇଥିବା ଆବଶ୍ୟକ । ପ୍ରଥମ ସ୍ତରରେ ଲିଖିତ ଫିଲାଟେଲି ବା ଡାକ ଟିକଟ୍ ସଂଗ୍ରହ ସଂକ୍ରାନ୍ତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହେବ । ଦ୍ୱିତୀୟ ସ୍ତରରେ ଅନ୍ତିମ ଚୟନ ପାଇଁ ଫିଲଟେଲି ପ୍ରକଳ୍ପ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ୧୧ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୃକ୍ତ ଡାକ ପରିମଣ୍ଡଳରେ ଆବେଦନ ପହଞ୍ଚିବା ଆବଶ୍ୟକ। ଲିଖିତ ଫିଲାଟେଲି ପ୍ରଶ୍ନୋତ୍ତର (ପ୍ରଥମ ସ୍ତର) ଲାଗି ପ୍ରାରମ୍ଭିକ ତାରିଖ ୨୭.୦୯.୨୦୨୬ ଧାର୍ଯ୍ୟ କରାଯାଇଛି ।










