28.3 C
Bhubaneswar
Wednesday, July 29, 2026
Homeଓଡିଶାସୋଆ ପକ୍ଷରୁ ରାୱେ କାର୍ଯ୍ୟକ୍ରମ ଅଧୀନରେ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ପକ୍ଷରୁ ରାୱେ କାର୍ଯ୍ୟକ୍ରମ ଅଧୀନରେ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: କୃଷକଙ୍କ ସଶକ୍ତୀକରଣ, ନିରନ୍ତର କୃଷି ବିକାଶ ଏବଂ କୃଷି ଛାତ୍ରଛାତ୍ରୀଙ୍କ ବ୍ୟବହାରିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ୨୦୨୬-୨୭ ନିମନ୍ତେ ଗ୍ରାମୀଣ କୃଷି କାର୍ଯ୍ୟ ଅନୁଭୂତି (ରୁରାଲ୍ ଏଗ୍ରିକଲଚରାଲ୍ ୱର୍କ ଏକ୍ସପିରିଏନ୍ସ–ରାୱେ) ଅଧିନସ୍ଥ ପ୍ରଥମ ପର୍ଯ୍ୟାୟ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଯାଇଛି ।
ଜୁଲାଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଲଗ୍ନତା କାର୍ଯ୍ୟକ୍ରମ (ଭିଲେଜ୍ ଆଟାଚମେଂଟ ପ୍ରୋଗ୍ରାମ୍‌) ଅଧୀନରେ ଆୟୋଜିତ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୧ଟି ଗ୍ରାମକୁ ସାମିଲ କରାଯାଇଥିଲା । ଏହି ଗ୍ରାମଗୁଡ଼ିକ ହେଉଛି ଝିଂଟିଶାସନ, ପାଣିକଟା, ଛତାବର, ପୁରୋହିତପୁର, ମେଣ୍ଢାଶାଳ, ବୁଢ଼ିପଡ଼ା, ବରୁଡ଼ାଖଣା, ପୁରୁଣା ପଧାନ, କୁଜିମହଲ, ଭୋଳା ଏବଂ ସିଙ୍ଗିରିଶାସନ ।
ଏହି ପରିପ୍ରେକ୍ଷୀରେ କୃଷକଙ୍କ ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ମୋଟ ୧୬ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ ବ୍ୟୟବହୁଳ, ଜଳବାୟୁ ଅନୁକୂଳ ଓ ଆୟ ବୃଦ୍ଧିକାରୀ କୃଷି ପ୍ରଯୁକ୍ତି ଉପରେ ଏହି ପ୍ରଶିକ୍ଷଣରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସ୍ଥାନୀୟ କୃଷି ପ୍ରଣାଳୀ ଓ କୃଷକଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ପ୍ରସ୍ତୁତ ପ୍ରଶିକ୍ଷଣ ମଡ୍ୟୁଲ୍ ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଚାଷ ଖର୍ଚ୍ଚ ହ୍ରାସ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରୁଥିବା ବୈଜ୍ଞାନିକ ପଦ୍ଧତି ସଂପର୍କରେ କୃଷକଙ୍କୁ ଅବଗତ କରାଯାଇଥିଲା ।
ପ୍ରଶିକ୍ଷଣରେ ପଶୁଖାଦ୍ୟ ଓ ମୃତିକାର ଉର୍ବରତା ବୃଦ୍ଧି ପାଇଁ ଆଜୋଲା ଚାଷ, ଧାନ ଚାଷରେ ସମନ୍ୱିତ ପୋଷକ ତତ୍ୱ ପରିଚାଳନା (ଆଇଏନ୍‌ଏମ୍‌) ଓ ସମନ୍ୱିତ କୀଟ ପରିଚାଳନା (ଆଇପିଏମ୍‌), ଛତୁ ଚାଷ ଓ ମୂଲ୍ୟ ସଂଯୋଜନ, ନିମ୍ବ ଆଧାରିତ ଜୈବ କୀଟନାଶକ ପ୍ରସ୍ତୁତି ଓ ବ୍ୟବହାର, ବିହନ ଓ କଦଳୀ ଚେର ଶୋଧନ, ଜୈବିକ କୃଷି ଉପାଦାନ ପ୍ରସ୍ତୁତି, ନିମ୍ବ ମଞ୍ଜି କର୍ଣ୍ଣେଲ ଏକ୍ସଟ୍ରାକ୍ଟ (ଏନ୍‌ଏସ୍‌କେଇ) କମ୍ପେ।।ଷ୍ଟ ଏନ୍‌ହାନ୍ସର ବ୍ୟବହାର କରି କମ୍ପୋଷ୍ଟ ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏଥି ସହିତ ମହୁଚାଷ ଓ ମହୁ ସଂଗ୍ରହ, ପ୍ରୋ-ଟ୍ରେ ପ୍ରଯୁକ୍ତିରେ ଉନ୍ନତମାନର ପନିପରିବା ଚାରା ପ୍ରସ୍ତୁତି, ପରିବେଶ ଅନୁକୂଳ କୀଟ ପରିଚାଳନା ପାଇଁ ଇନ୍‌ସେକ୍ଟ ଟ୍ରାପ୍ ବ୍ୟବହାର, କେଂଚୁଆ ପାଳନ, ଭର୍ମି କମ୍ପୋଷ୍ଟ ଓ ଭର୍ମିୱାଶ ପ୍ରସ୍ତୁତି ସହିତ କାକୁଡ଼ି ଜାତୀୟ ଫସଲ ଏବଂ ଧାନରେ ସମନ୍ୱିତ କୀଟ ପରିଚାଳନା ଉପରେ ମଧ୍ୟ କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ପ୍ରଶିକ୍ଷଣରେ ସିଧାସଳଖ ପ୍ରଦର୍ଶନ, ବ୍ୟବହାରିକ ଅଭ୍ୟାସ, ପାରସ୍ପରିକ ଆଲୋଚନା ଓ କ୍ଷେତ୍ର ସ୍ତରୀୟ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ରାୱେ କମିଟିର ଅଧ୍ୟାପକମାନଙ୍କ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିଲା । ଏଥିରେ ମହିଳା କୃଷକ, ଗ୍ରାମୀଣ ଯୁବକ-ଯୁବତୀ ଏବଂ ରାୱେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିଥିଲା । କୃଷକମାନେ ସେମାନଙ୍କର କ୍ଷେତ୍ର ସ୍ତରୀୟ ସମସ୍ୟା ନେଇ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସ୍ଥାନୀୟ ପରିସ୍ଥିତି ଅନୁକୂଳ ବୈଜ୍ଞାନିକ ପରାମର୍ଶ ପାଇଥିଲେ ।
ରାୱେ କାର୍ଯ୍ୟକ୍ରମ ସଂପର୍କରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ଏହା କୃଷି ଶିକ୍ଷା ଓ ଗ୍ରାମୀଣ ବିକାଶ ମଧ୍ୟରେ ଏକ ଦୃଢ଼ ସେତୁବନ୍ଧ ଭାବେ କାର୍ଯ୍ୟ କରୁଛି । ଏହା ଛାତ୍ରଛାତ୍ରୀଙ୍କୁ ବାସ୍ତବ କୃଷି ପରିସ୍ଥିତି, ସ୍ଥାନୀୟ ସମ୍ବଳ, କୃଷକଙ୍କ ସମସ୍ୟା ଏବଂ ଗ୍ରାମୀଣ ଜୀବନଯାପନ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରୁଛି । ଏହା ସେମାନଙ୍କୁ ଦକ୍ଷ କୃଷି ବୃତିଜୀବୀ, କୃଷି ସଂପ୍ରସାରଣ କର୍ମୀ ଓ ପରିବର୍ତନର ବାର୍ତାବାହକ ଭାବେ ଗଢ଼ି ତୋଳିବାରେ ସହାୟକ ହେଉଛି । ସୋଆର କୃଷି ବିଜ୍ଞାନ ଅନୁଷ୍ଠାନ ଗୁଣାତ୍ମକ କୃଷି ଶିକ୍ଷା ସହିତ କୃଷକଙ୍କ ଜୀବନ ଜୀବିକାର ଉନ୍ନତି ଓ ସ୍ଥାୟୀ କୃଷି ବିକାଶ ପାଇଁ ବୈଜ୍ଞାନିକ ଜ୍ଞାନର ପ୍ରସାର ଜାରି ରଖିବ ବୋଲି ସେ କହିଥିଲେ ।

ରାୱେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡକ୍ଟର ଅଂଶୁମାନ ଜେନା କହିଥିଲେ ଯେ ଗ୍ରାମବାସୀ, କୃଷକ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଯୋଗୁଁ ପ୍ରଥମ ପର୍ଯ୍ୟାୟର ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି । ସ୍ଥାନୀୟ ଆବଶ୍ୟକତା ଭିତିକ ପ୍ରଯୁକ୍ତିର ପ୍ରସାର, ଜଳବାୟୁ ଅନୁକୂଳ ଓ ସ୍ଥାୟୀ କୃଷି ପଦ୍ଧତିର ପ୍ରୋତ୍ସାହନ ଏବଂ ନିରନ୍ତର ସଂପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କ ଜ୍ଞାନ ବୃଦ୍ଧି ପାଇଁ ଆଇଏଏସ୍ ସଦା ପ୍ରତିବଦ୍ଧ ବୋଲି ସେ କହିଥିଲେ ।ଡକ୍ଟର ଜେନା ସୂଚନା ଦେଇ କହିଥିଲେ ଯେ ରାୱେ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କୃଷକଙ୍କ ଆବଶ୍ୟକତାକୁ ଆଧାର କରି ସଚେତନତା ଅଭିଯାନ, କ୍ଷେତ୍ର ପ୍ରଦର୍ଶନୀ ଓ ଉଦୀୟମାନ କୃଷି ପ୍ରଯୁକ୍ତି, ସମନ୍ୱିତ କୃଷି ପ୍ରଣାଳୀ, ପ୍ରାକୃତିକ ସଂପଦ ପରିଚାଳନା, କୃଷି ଉଦ୍ୟୋଗିତା ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରାସଙ୍ଗିକ ବିଷୟ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଦ୍ୱାରା କୃଷକଙ୍କ ଜ୍ଞାନ ଓ ଆୟ ବୃଦ୍ଧି, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ, ଗ୍ରାମୀଣ ସମୁଦାୟ ସହ ବିଶ୍ୱବିଦ୍ୟାଳୟର ସଂପର୍କକୁ ଆହୁରି ସୁଦୃଢ଼ କରିବା ସହିତ କୃଷି ଛାତ୍ରଛାତ୍ରୀଙ୍କୁ ଗ୍ରାମାଂଚଳରେ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣର ସୁଯୋଗ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking