ଭୁବନେଶ୍ୱର: ଚଳିତ ବନ୍ୟାରେ କେନ୍ଦୁଝର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜଣେ ଅଗ୍ନିଶମ କର୍ମଚାରୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । କାନ୍ଥ ପଡି ଜଣେ ଓ ପାଣିରେ ଭାସି ଯାଇ ଜଣେ ପିଲାର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, ପରିବାରର ସଦସ୍ୟମାନେ ନିଜର ଛୋଟ ଛୋଟ ପିଲାମାନଙ୍କୁ ଧରି ଖଟ ଉପରେ ଆଶ୍ରୟ ନେଇଛନ୍ତି। ତିନି ଦିନ ଧରି ଘରୁ ବାହାରିବା ସମ୍ଭବ ହେଉ ନଥିବାରୁ ସେମାନେ ଚରମ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ପାଣି କମିବାର ନାଁ ଧରୁ ନଥିବାରୁ ପରିବାର ଲୋକେ ଏବେ ଭୟ ଓ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି । କେବଳ ରହିବା ନୁହେଁ, ବରଂ ଖାଦ୍ୟ ଏବଂ ପିଇବା ପାଣି ପାଇଁ ମଧ୍ୟ ଏହି ପରିବାରକୁ ସଂଘର୍ଷ କରିବାକୁ ପଡ଼ୁଛି । ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ଅଭାବ ଯୋଗୁଁ ପରିବାରର ସଦସ୍ୟମାନେ ହନ୍ତସନ୍ତ ହେଉଛନ୍ତି ।










