25.7 C
Bhubaneswar
Saturday, July 25, 2026
Homeଓଡିଶାରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି । ଯାହାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ରଥଯାତ୍ରାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।ଶ୍ରୀ ଦାସବର୍ମା କହିଥିଲେ ଯେ, ରଥଯାତ୍ରାରେ ବାରମ୍ବାର ଅବ୍ୟବସ୍ଥା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି । ଗତ ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ୩୫୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ । ପୁଣି ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ୧୩୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଏତେ ପରେ ବି ରାଜ୍ୟ ସରକାର ନିଜ ଭୁଲ୍କୁ ସ୍ୱୀକାର କରୁନାହାଁନ୍ତି । ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୱାସରୁଦ୍ଧ ହୋଇ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ନେଇ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରୁଛନ୍ତି । ରଥଯାତ୍ରା ସମୟରେ ଦଳାଚକଟାରେ ମୃତୁ୍ୟକୁ ରାଜ୍ୟ ସରକାର ସ୍ୱୀକାର କରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁଖା ଖୋଲିଦେଇଛି ।

ରଥଯାତ୍ରା ପରିଚାଳନା ନେଇ ଅତୀତର ତ୍ରୁଟିରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରିଲେ ନାହିଁ । ସରକାରଙ୍କ ଅବହେଳାରୁ ବାହୁଡା ଯାତ୍ରାରେ ପୁଣି ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଗଲା । ବଡ଼ଦାଣ୍ଡର ପରିମଳ ବ୍ୟବସ୍ଥା ଠିକ୍ ନଥିଲା । ବଗଲା ଧର୍ମଶାଳା ସମ୍ମୁଖରେ ଅଇଁଠା ଖଲି ପଡିଥିଲା । ମା’ ସୁଭଦ୍ରାଙ୍କ ରଥ ଆସିବା ବେଳେ ଖଲି ମାଡ଼ି ଲୋକେ ତଳେ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ତ୍ରୁଟି ଶୂନ୍ୟ ରଥଯାତ୍ରା ପରିଚାଳନା କରିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରଥଯାତ୍ରା ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସକଙ୍କ ସମର୍ପଣ ଭାବ ନଥିବାରୁ ରଥଯାତ୍ରାରେ ବାରମ୍ୱାର ଅଘଟଣ ଘଟୁଛି । ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଛି, ଯାହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ମର୍ମାହତ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପୁର୍ବରୁ ମୃତୁ୍ୟର କାରଣ ନେଇ ରାଜ୍ୟ ସରକାର କିପରି ବିବୃତ୍ତି ପ୍ରଦାନ କରୁଛନ୍ତି ? ଉକ୍ତ ଅଘଟଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ରଥଯାତ୍ରା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ମୃତୁ୍ୟକୁ ନେଇ ମିଛ କହିଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ଶ୍ରୀ ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ଅସମର୍ଥ । ରଥଯାତ୍ରାରେ ମହାପ୍ରଭୁଙ୍କ ନିକଟରେ ସେବାୟତ ରହିବା ନେଇ ପୂର୍ବ ନିଷ୍ପତ୍ତି ଠାରୁ ଅଧିକ ସେବାୟତ ରହିଲେ । ରଥଯାତ୍ରା ଆରମ୍ଭରୁ ଅଘଟଣ ଘଟିଲା । ମହାପ୍ରଭୁଙ୍କ ପହଣ୍ଡି ବିଜେ ବେଳେ ଟାହିଆ ନଥିଲା । ଏହାପରେ ଦଳାଚକଟା ଘଟି ଶ୍ରଦ୍ଧାଳୁଙ୍କ ପ୍ରାଣ ହାନୀ ଘଟିଲା । ବାହୁଡା ଯାତ୍ରାରେ ମଧ୍ୟ ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା । ବିଜେପି ସରକାରର ଦାୟିତ୍ୱହୀନତା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି । ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ପାଇଁ ରଥଯାତ୍ରାକୁ ଆସି ଶବ ହୋଇ ଘରକୁ ଫେରୁଛନ୍ତି ଶ୍ରଦ୍ଧାଳୁ । ସୁନାବେଶ ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଅସମ୍ଭାଳ ଭିଡ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସରକାରଙ୍କ ତ୍ରୁଟି ପାଇଁ ଜନସାଧାରଣ ସମ୍ପୂର୍ଣ୍ଣ ଭାବେ ଅତିଷ୍ଠ ହୋଇପଡ଼ିଲେଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରଥଯାତ୍ରା ଅତି ସୁରୁଖୁରୁରେ ସମ୍ପନ୍ନ ହେଉଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟକୁ ଅସ୍ୱୀକାର କରି ମିଛ କହୁଛନ୍ତି । ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ଏବଂ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।
ଶ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ବିଶ୍ୱନିୟନ୍ତା ମହାପ୍ରକୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାରମ୍ୱାର ଅଘଟଣ ଘଟୁଛି । ଡବଲ ଇଞ୍ଜିନ ସରକାରର ତ୍ରୁଟି ପୂର୍ଣ୍ଣ ପରିଚାଳନ ପାଇଁ ଶ୍ରଦ୍ଧାଳୁ ମାନେ ମୃତୁ୍ୟମୁଖରେ ପଡୁଛନ୍ତି । ଗତ ୨୦୨୪ ମସିହା ରଥଯାତ୍ରାରେ ପହଣ୍ଡି ସମୟରେ ଚାରମାଳରୁ ବଡ଼ଠାକୁର ପ୍ରଭୁ ବଳଭଦ୍ର ପଡି ଯାଇଥିଲେ । ରାଜ୍ୟ ସରକାର ଏହାର ତଦନ୍ତ କରିଥିଲେ ମଧ୍ୟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଲେ ନାହିଁ । ପୂର୍ବତନ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ଚାପୁଡ଼ା ମାରିଲେ; ତାହାର ମଧ୍ୟ ତଦନ୍ତ ହେଲା, କିନ୍ତୁ ରିପୋର୍ଟ ସାର୍ବଜନୀନ ହେଲା ନାହିଁ । ସେହିପରି ୨୦୨୫ ମସିହା ରଥଯାତ୍ରା ସମୟରେ ଶରଧାବାଲିରେ ଦଳାଚକଟା ଘଟି ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହେଲା, ତାହାର ରିପୋର୍ଟ ମଧ୍ୟ ସାର୍ବଜନୀନ କରିଲେ ନାହିଁ ସରକାର । ଚଳିତ ବର୍ଷ ରଥଯାତ୍ରାରେ ୩ ଜଣ ଓ ବାହୁଡା ଯାତ୍ରାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି । କିନ୍ତୁ ରାଜ୍ୟ ସରକାର ନିଜ ଉତ୍ତର ଦାୟିତ୍ୱରୁ ଓହରି ଯାଉଛନ୍ତି । ବିଧାନସଭାରେ ପ୍ରଶ୍ନ କରିଲେ ସୁଦ୍ଧା ତଦନ୍ତ ଜାରି ରହିଛି ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଉତ୍ତର ଦେଉଛନ୍ତି । ବିଜେପି ସରକାରର ଶାସନକୁ ଦୁଇ ବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ସୁଦ୍ଧା ତଦନ୍ତ ରିପୋର୍ଟ ସାର୍ବଜନୀନ ହେଉନାହିଁ । ମହାପ୍ରଭୁଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ହୋଇଥିବା ବଡ଼ଧରଣର ଅବହେଳାକୁ ଓଡ଼ିଶାବାସୀ କେବେବି କ୍ଷମା କରିବେ ନାହିଁ । ତେଣୁ ସମସ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking