ନୂଆଦିଲ୍ଲୀ : ଅ-ତିଥି ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆସିଛି ଏକ ବଡ଼ ଖବର । ପୁରୀ ଗଜପତି ମହାରାଜଙ୍କ ପରାମର୍ଶକୁ ଗ୍ରହଣ କରିଛି ବେଙ୍ଗାଲୁରୁର ଶ୍ରୀଳା ପ୍ରଭୂପାଦ ଇସ୍କନ । ଏଣିକି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେଉଥିବା ତିଥି ଓ ପରମ୍ପରା ଅନୁସାରେ ହିଁ ରଥଯାତ୍ରା ଆୟୋଜନ କରାଯିବ ବୋଲି ଇସ୍କନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶ୍ରୀଲ ପ୍ରଭୂପାଦ ଇସ୍କନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବେଙ୍ଗାଲୁରୁ ସମେତ ଦେଶ ଓ ବିଦେଶରେ ଥିବା ଶ୍ରୀଳା ପ୍ରଭୂପାଦ ଇସ୍କନର ସମସ୍ତ ଶାଖା ପୁରୀ ଶ୍ରୀମନ୍ଦିରର ତିଥିକୁ ଅନୁସରଣ କରି ରଥଯାତ୍ରା ପାଳନ କରିବେ । ଏହା ସହ ପୁରୀର ପବିତ୍ର ନଅ ଦିନିଆ ରଥଯାତ୍ରା ଅବଧି ମଧ୍ୟରେ ହିଁ ରଥଯାତ୍ରା ଆୟୋଜନ କରାଯିବ ବୋଲି ମଧ୍ୟ ଇସ୍କନ ଘୋଷଣା କରିଛି। ଏହି ନିଷ୍ପତ୍ତିକୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନର ପ୍ରତୀକ ବୋଲି ଦେଖାଯାଉଛି । ସମ୍ପ୍ରତି ଅ-ତିଥିରେ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ମହଳରେ ଆପତ୍ତି ପ୍ରକାଶ ପାଇଥିଲା । ଏହା ପରେ ପୁରୀ ଗଜପତି ମହାରାଜ ପରମ୍ପରା ଅନୁଯାୟୀ ତିଥି ମାନି ରଥଯାତ୍ରା ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଇସ୍କନ ସେହି ପରାମର୍ଶକୁ ଗ୍ରହଣ କରିଥିବାରୁ ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି ।










