ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ ଓ ନିବେଶ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟାରାନ୍ସ ଅଥରିଟି ବୈଠକରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପଗୁଡ଼ିକରେ ୪,୫୭୩.୮୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ସହ ୨୨,୮୭୩ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCA ବୈଠକରେ ସୂଚନା ପ୍ରଯୁକ୍ତି, ଗ୍ରୀନ୍ ଏନର୍ଜି, ବ୍ୟାଟେରି ଓ ଏନର୍ଜି ଷ୍ଟୋରେଜ୍, ରସାୟନ, ବସ୍ତ୍ର ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଡାଉନଷ୍ଟ୍ରିମ୍, ଔଷଧ ଓ ମେଡିକାଲ ଉପକରଣ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗିର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ସୁନ୍ଦରଗଡ଼ ଓ ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ।ଖୋର୍ଦ୍ଧାରେ HCL Technologies ୭୩୦ କୋଟି ବ୍ୟୟରେ ଏକ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସ୍ଥାପନ କରିବ । ଏଥିରେ ୬,୦୦୦ରୁ ଅଧିକ ଦକ୍ଷ ଯୁବକ-ଯୁବତୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି ହେବ । ଆଇଟି କ୍ଷେତ୍ରରେ ଏହା ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।ଗ୍ରୀନ ଏନର୍ଜି କ୍ଷେତ୍ରରେ ACME Cleantech Solutions ଗଞ୍ଜାମରେ ୭୭୮ କୋଟି ବିନିଯୋଗ କରିବ । ବାର୍ଷିକ ୩ ଗିଗାୱାଟ କ୍ଷମତା ବିଶିଷ୍ଟ ଆଲ୍କାଲାଇନ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ । ଏଥିରେ ୪୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କଟକରେ GGB Battery India ଜିଙ୍କ ଆନୋଡ ବ୍ୟାଟେରି ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଥିବାବେଳେ ଅନୁଗୁଳରେ Envirocare Infrasolution ଅତିରିକ୍ତ ୧୦୦ ମେଗାୱାଟ ସୌର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବ । ଏଥିରେ ୨୫୪ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ବସ୍ତ୍ର ଓ ପୋଷାକ କ୍ଷେତ୍ରରେ ପୁରୀ ଜିଲ୍ଲା ସର୍ବାଧିକ ଲାଭ ପାଇବ । SAPL Industries, SPL Industries ଓ Richa Global Exports ମିଶି ପ୍ରାୟ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ୪ ପ୍ରକଳ୍ପରେ ୩୮୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ନିବେଶ ହେବ । ବଲାଙ୍ଗିରରେ Astha Cotspin ଟେକ୍ସଟାଇଲ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପରେ ୧୨୪.୫୦ କୋଟି ନିବେଶରେ ୩୨୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରସାୟନ କ୍ଷେତ୍ରରେ ନୂଆପଡ଼ାରେ Growing Tree Oil & Refinery ପକ୍ଷରୁ ସମନ୍ୱିତ ସଲଭେଣ୍ଟ ଏକ୍ସଟ୍ରାକ୍ସନ୍, ତୈଳ ବିଶୋଧନ, କାଜୁ ପ୍ରକ୍ରିୟାକରଣ, ପଶୁଖାଦ୍ୟ ଓ ୯ ମେଗାୱାଟ କୋ-ଜେନେରେସନ ପ୍ଲାଣ୍ଟ ସ୍ଥାପନ କରାଯିବ । ୨୫୦ କୋଟି ଟଙ୍କା ନିବେଶରେ ୧୧୫୦ ଜନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାଜପୁରରେ ତିରୁପତି ମାଇକ୍ରୋଟେକ ପ୍ରାଇଭେଟ ଲିମିଟେଡ଼ ସମନ୍ବିତ ରାସାୟନିକ କମ୍ପ୍ଲେକ୍ସ ଓ ରେୟାର ଆର୍ଥ ମିନେରାଲ ପ୍ରୋସେସିଂ ୟୁନିଟ ସ୍ଥାପନ କରିବ । ଉକ୍ତ ପ୍ରକଳ୍ପରେ ୭୦ କୋଟି ନିବେଶରେ ୮୪ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କ୍ରେବସ ଇଂଟରନ୍ୟାସନାଲ ଲିମିଟେଡ୍ ମୟୂରଭଞ୍ଜରେ କ୍ରୋମିୟମ କେମିକାଲ କାରଖାନା ସ୍ଥାପିତ କରିବ । ୬୮.୦୧ କୋଟି ନିବେଶରେ ପ୍ରକଳ୍ପରେ ୩୦୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି ।
ଗଞ୍ଜାମ ଜିଲ୍ଲାରେ ଟ୍ରାନ୍ସପେକ ଇଣ୍ଡଷ୍ଟ୍ରି ଲିମିଟେଡ ୩୪୩ କୋଟି ଟଙ୍କା ବିନିଯୋଗରେ ଏକ ସ୍ପେସିଆଲିଟି କେମିକାଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୪୨୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗ୍ରୋଇଂ ଟ୍ରି ଅଏଲ ଆଣ୍ଡ ରିଫାଇନେରୀ ପ୍ରାଇଭେଟ ଲିମିଟେଡ କଟକ ଜିଲ୍ଲାରେ ୮୦ କୋଟି ଟଙ୍କା ବିନିଯୋଗରେ ଏକ ଦୁଗ୍ଧଜାତ ଉତ୍ପାଦ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୪୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାହା କୃଷିଭିତ୍ତିକ ପ୍ରକ୍ରିୟାକରଣ କ୍ଷେତ୍ରରେ ମୂଲ୍ୟ ସଂଯୋଜନକୁ ଆହୁରି ସୁଦୃଢ଼ କରିବ । ଷ୍ଟିଲ୍ ଡାଉନଷ୍ଟ୍ରିମ କ୍ଷେତ୍ରରେ ଶ୍ରୀ ମହାବୀର ଫେରୋ ଆଲଏଜ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ଼ ଜିଲ୍ଲାରେ ୧୦୫ କୋଟି ଟଙ୍କା ବିନିଯୋଗରେ ଗାଲଭାନାଇଜ୍ଡ କୋଟେଡ ୱାୟାର ଓ ଜିଙ୍କ-ଆଲୁମିନିୟମ କୋଟେଡ୍ ୱାୟାର ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହା ଦ୍ୱାରା ୨୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଗ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଜିଲ୍ଲାରେ ୫୨ କୋଟି ଟଙ୍କା ବିନିଯୋଗରେ ଷ୍ଟିଲ କଏଲ ସ୍ଲିଟିଂ, କଟ-ଟୁ-ଲେଙ୍ଗ୍ଥ ସିଟ, ଜିଆଇ ଫଲ୍ସ ସିଲିଂ ସେକ୍ସନ ଏବଂ ERW ଷ୍ଟିଲ ପାଇପ ଓ ଟ୍ୟୁବ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏହି ପ୍ରକଳ୍ପରୁ ୨୧୦ଟି ନିଯୁକ୍ତି ସୃଷ୍ଟି ହେବ ।
ଔଷଧ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ EFYIONDX ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ ୬୦ କୋଟି ଟଙ୍କା ବିନିଯୋଗରେ ବାୟୋଟେକ୍ନୋଲୋଜି, ଫାର୍ମାସ୍ୟୁଟିକାଲ, ବଲ୍କ ଡ୍ରଗ୍ସ ଏବଂ ମେଡିକାଲ୍ ଉପକରଣ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ଦ୍ୱାରା ୫୫୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକରେ ୨୭୫.୮୯ କୋଟି ବିନିଯୋଗରେ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ ସ୍ଥାପନ କରାଯିବ । ଏଥିରେ ୯୪୧ ଟି ନିଯୁକ୍ତି ସୁଯୋଗ ରହିଛି । ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ମଧ୍ୟ ଅନେକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଟାଟା ଷ୍ଟିଲ ଲିମିଟେଡ କେନ୍ଦୁଝର ଜିଲ୍ଲାରେ ୧୬୫.୩୦ କୋଟି ଟଙ୍କା ବିନିଯୋଗରେ ୫ MTPA କ୍ଷମତା ବିଶିଷ୍ଟ ରେଳୱେ ସାଇଡିଂ ସ୍ଥାପନ କରିବ । ଯାହା ଦ୍ୱାରା ୨୫୦ଟି ନିଯୁକ୍ତି ସୃଷ୍ଟି ହେବ । ଲିଙ୍ଗରାଜ ଟ୍ରାନ୍ସଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ଼ ଜିଲ୍ଲାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଲଜିଷ୍ଟିକ୍ସ ପାର୍କ ଓ ୱେରହାଉସିଂ ସୁବିଧା ସ୍ଥାପନ କରିବ । ଯାହା ମାଧ୍ୟମରେ ୨୫୦ଟି ଚାକିରି ସୁଯୋଗ ସୃଷ୍ଟି ହେବ ।
ଶ୍ରୀ ଜୟବାଲାଜୀ ଆଗ୍ରୋ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳ ଜିଲ୍ଲାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୫ ମେଗାୱାଟ ରୁଫଟପ ସୋଲାର ପାୱାର ପ୍ଲାଣ୍ଟ ସହିତ ଏକ ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ସ୍ଥାପନ କରିବ । ଯାହା ଦ୍ୱାରା ୨୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପର୍ଯ୍ୟଟନ କ୍ଷେତ୍ରରେ କଟକ, ସମ୍ବଲପୁର ଓ ଖୋର୍ଦ୍ଧାରେ ତିନିଟି ପାଞ୍ଚତାରକା ହୋଟେଲ ଓ ଲକ୍ସୁରୀ ରିସର୍ଟ ନିର୍ମାଣକୁ ମଧ୍ୟ ମଞ୍ଜୁରି ମିଳିଛି । ବିଶ୍ୱ ଆଣ୍ଡ ଜିତ ମଲ୍ଟି କମ୍ପ୍ଲେକ୍ସ ପ୍ରାଇଭେଟ୍ ଲିମିଟେଡ୍ କଟକ ଜିଲ୍ଲାରେ ୧୦୫.୨୨ କୋଟି ଟଙ୍କା ବିନିଯୋଗରେ ଏକ 5-ଷ୍ଟାର ହୋଟେଲ ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୧୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । JAS ଟାୱାର୍ସ LLP ସମ୍ବଲପୁର ଜିଲ୍ଲାରେ ୮୫ କୋଟି ଟଙ୍କା ବିନିଯୋଗରେ ଏକ ପଞ୍ଚତାରକା ହୋଟେଲ ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ୱାରା ୩୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶ୍ରୀକୃଷ୍ଣ ଇଷ୍ଟେଟ୍ସ ଆଣ୍ଡ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲାରେ “କୃଷ୍ଣ ଲେକ୍ ଭ୍ୟୁ ରିସର୍ଟ” ନାମକ ଏକ ପଞ୍ଚତାରକା ବିଳାସପୂର୍ଣ୍ଣ ରିସର୍ଟ ସ୍ଥାପନ କରିବ । ଏଥିପାଇଁ କମ୍ପାନୀ ୭୦ କୋଟି ଟଙ୍କା ବିନିଯୋଗ କରିବ । ଏହା ମାଧ୍ୟମରେ ୧୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।










