ନୂଆଦିଲ୍ଲୀ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ପୁଣି ତୀବ୍ର ହୋଇଛି। ୟୁକ୍ରେନ୍ ଗତକାଲି ରାତିରେ ରୁଷ୍ର ବିଭିନ୍ନ ଅଞ୍ଚଳ ଉପରେ ଘନ ଘନ ଡ୍ରୋନ୍ ମାଡ଼ କରି ବ୍ୟାପକ କ୍ଷତି ଘଟାଇ ଥିବାବେଳେ ୭ ଜଣ ଗୋଦାମ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୫୧ ଜଣ ଆହତ ହୋଇଛନ୍ତି ବୋଲି ଶନିବାର ରୁଷ୍ କର୍ତ୍ତୃପକ୍ଷ କହିଛନ୍ତି। ୟୁକ୍ରେନ୍ ପକ୍ଷରୁ ରୁଷ୍ରେ ଗୋଦାମ ଘର, ତୈଳ ଡିପୋ ଓ ଏକ ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା। ରୁଷ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଶତାଧିକ ଡ୍ରୋନ୍ ନଷ୍ଟ କରିବାରେ ସଫଳ ହୋଇଥିଲା।
ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ, ଦୀର୍ଘ ଦୂରଗାମୀ ଆକ୍ରମଣ ମସ୍କୋ ଓ ତାମ୍ବୋଭ ଅଞ୍ଚଳର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ ସୁବିଧା ଉପରେ ପ୍ରଭାବ ପକାଇଛି। ଏହି କେନ୍ଦ୍ରଗୁଡ଼ିକୁ ଆକ୍ରମଣକାରୀ ଡ୍ରୋନ୍ ଓ ନେଭିଗେସନ୍ ଉପକରଣ ଉତ୍ପାଦନ ପାଇଁ ଅନୁମୋଦିତ ଉପାଦାନ ଯୋଗାଣ ପାଇଁ ବ୍ୟବହାର କରୁଥିଲେ ବୋଲି ଟେଲିଗ୍ରାମରେ ଜେଲେନସ୍କି ଲେଖିଛନ୍ତି। ଏହାସହିତ ରୁଷ୍ର ତୈଳ ଡିପୋ ଉପରେ ମଧ୍ୟ ଆକ୍ରମଣ ହୋଇଛି ବୋଲି ଜେଲେନସ୍କି କହିଛନ୍ତି। ରୁଷ୍ ଅଧିକାରୀଙ୍କ ଅନୁଯାୟୀ, ରୁଷର ସବୁଠାରୁ ବଡ଼ ଅନଲାଇନ୍ ଖୁଚୁରା ବିକ୍ରେତା ‘ୱାଇଲ୍ଡବେରିଜ’ର ଦୁଇଟି ବଡ଼ ଗୋଦାମ ଉପରେ ରାତିରେ ଆକ୍ରମଣ ହୋଇଥିଲା। ଗୋଟିଏ ୟୁକ୍ରେନ ସୀମାଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ତାମ୍ବୋଭ ଅଞ୍ଚଳର କୋତୋଭସ୍କରେ ଓ ଅନ୍ୟଟି ମସ୍କୋରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ ଇଲେକ୍ଟ୍ରୋଷ୍ଟାଲରେ ଥିଲା।
କୋତୋଭସ୍କର ଗୋଦାମରେ ସାତ ଜଣ ରାତ୍ରି ସିଫ୍ଟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୨୫ ଜଣ ଆହତ ହୋଇଥିଲେ। ଇଲେକ୍ଟ୍ରୋଷ୍ଟାଲରେ ୨୪ ଜଣ କର୍ମଚାରୀ ଆହତ ହୋଇଥିଲେ। ଇଲେକ୍ଟ୍ରୋଷ୍ଟାଲର ଉତ୍ତରରେ ଥିବା ନୋଗିନସ୍କରେ ଆଉ ଦୁଇଜଣ ଆହତ ହୋଇଛନ୍ତି, ଯେଉଁଠାରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ପରେ ଏକ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନିକଟରେ ଥିବା ଏକ ପ୍ରସୂତି ହସ୍ପିଟାଲ ଓ ଗୋଟିଏ ଆବାସିକ କୋଠାକୁ ଖାଲି କରାଯାଇଥିଲା।










