ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ଘଟଣା
ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅପମାନକୁ ବିଜେଡି ବରଦାସ୍ତ କରିବ ନାହିଁ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । ବିଜେପି ସରକାର ତାହାର ସଂଶୋଧନ ନକରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡାଇ ଦେଲେଣି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନେ୍ଦାଳନ ସାରା ରାଜ୍ୟରେ ଆରମ୍ଭ ହୋଇଛିି । ଏହି କ୍ରମରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣବିକ୍ଷୋଭ ହୋଇଛି । ହଜାର ହଜାର ଯୁବ ଓ ଛାତ୍ରଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ରହିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ଥିବାବେଳେ ବିଜେପି ନିଜ ଦୋଷ ସ୍ୱୀକାର କରି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ଟାଳଟୁଳ ନୀତି ଗ୍ରହଣ କରିଛି । ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ରାଜ୍ୟବ୍ୟାପୀ ‘ଶିକ୍ଷା ବଞ୍ଚାଅ ଆନେ୍ଦାଳନ’ ଆରମ୍ଭ କରାଯାଇଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ହୋଇଥିବାରୁ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ୍ ଜରିଆରେ ଦାବି କରାଯାଇଥିଲା । ଏଯାବତ୍ ତଦନ୍ତ ଜରିଆରେ ସତ୍ୟ ଉନ୍ମୋଚନ କରିବାରେ ସରକାର ବିଫଳ ହୋଇଛନ୍ତି । ଆଉ ୨/୩ମାସ୍ ପରେ ପିଲାଙ୍କ ପରୀକ୍ଷା ରହିଛି । କିନ୍ତୁ ତ୍ରୁଟି ପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର ହୋଇନି । ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନଷ୍ଟ ହେବ । ବିଜେପି ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ।
ତକ୍ରାଳିନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ୫-ଟି ଯୋଜନା ପାଇଁ ଓଡ଼ିଶା ସବୁଠି ପ୍ରଶଂସିତ ହୋଇଥିବା ବେଳେ ଆଜି ତ୍ରୁଟି ପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡିଶା ନିନ୍ଦିତ ହେଉଛି । ବିଜେଡି କହିଛି ଯେ, ନୂତନ ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ଭୁଲ୍ କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ସିଧା ଆକ୍ରମଣ । ଆଜିର ଏହି ପ୍ରତିବାଦ ସମାବେଶରେ ଉପସ୍ଥିତି ନେତୃ ମଣ୍ଡଳୀ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ କଡା ବକ୍ତବ୍ୟ ରଖିଥିଲେ । ନିମ୍ୱୁଡ଼ା ନିମ୍ୱୁଡ଼ା ଗୀତରେ ଛାତ୍ର ଓ ଯୁବକମାନେ ନାଚି ନିଆରା ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଏନେଇ ଏକ ସ୍ମାରକପତ୍ର ଆରଡିସିଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ବିଜେଡି ଲଢେଇ ଜାରି ରଖି ବୋଲି କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟକ ଡ. ରମେଶଚନ୍ଦ୍ର ଚାଉପଟ୍ଟନାୟକ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁବାସ ବେହେରା, ସୂର୍ଯ୍ୟମଣି ବୈଦ୍ୟ, ରଞ୍ଜିତା ସାହୁ, ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଶ୍ରୀରୂପ ଦେବ, ନଚିକେତା ସ୍ୱାଇଁ, ଜ୍ୟୋତିରଂଜନ ସାହୁ, ଶୋଭନ କୁମାର ନାୟକ, ପ୍ରଶାନ୍ତ ପଣ୍ଡା, ନିହାରରଂଜନ ଶତପଥୀ, ସଂଘମିତ୍ରା ଦଳେଇ, ଅଞ୍ଜଳୀ ସ୍ୱାଇଁ, ରାଜେଶ୍ୱରୀ ଦୋରା, ବିବେକ ରେଡ୍ଡି, ସମସ୍ତ ଦଳୀୟ କର୍ପୋରେଟର, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଳୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।










