ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ସହିତ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାକର୍ତ୍ତାରେ ସେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି, ଯାହାକୁ ଉଭୟ ଦେଶ ଏକାଠି ଆଗକୁ ନେବେ। ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ମଧ୍ୟ ଘୋଷଣା କରିଛି।ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ ‘ବିନତାଙ୍ଗ ଆଦିପୂର୍ଣ୍ଣା ଅଫ୍ ଦି ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆ’ ପଦକରେ ସମ୍ମାନିତ କରୁଛି। ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କର। ଏହା ଇଣ୍ଡୋନେସିଆର ଲୋକଙ୍କ ଭାବନା ଏବଂ ଭାରତ ତଥା ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ଏବଂ ଗଭୀର ସମ୍ପର୍କ ପ୍ରତି ଏକ ସମ୍ମାନ।










