27.8 C
Bhubaneswar
Monday, July 6, 2026
Homeଓଡିଶାବୈତରଣୀ ନଦୀର ଉଚ୍ଚ ଜଳସ୍ତର ପରିସ୍ଥିତିର ସମୀକ୍ଷା କଲେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା...

ବୈତରଣୀ ନଦୀର ଉଚ୍ଚ ଜଳସ୍ତର ପରିସ୍ଥିତିର ସମୀକ୍ଷା କଲେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସେ ପ୍ରଭାବରୁ ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି l ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତି, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଜନସଂଖ୍ୟା, ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ ସାମଗ୍ରୀର ମହଜୁଦ ଏବଂ ଉଦ୍ଧାରକାରୀ ଦଳର ନିୟୋଜନ ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା l

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଛି l ତେବେ, ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୁଲ୍ୟା, ଇବ୍ ଆଦି ନଦୀର ଜଳସ୍ତର ବିପଦ ସ୍ତରଠୁଁ କମ୍ ଅଛି l ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି l କୌଣସି ପ୍ରକାର ବିପଦ ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି l କୌଣସି ଜଣେ ଲୋକକୁ ମଧ୍ଯ ସ୍ଥାନାନ୍ତରଣ କିମ୍ବା ସହାୟତା ଆବଶ୍ୟକ ଥିଲେ ତାହାକୁ ଗୁରୁତ୍ଵର ସହିତ ଦୃଷ୍ଟିରେ ରଖି ସହଯୋଗ ଯୋଗାଇ ଦେବାକୁ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି l ଆନନ୍ଦପୁର ଏବଂ ଓକୁଆପଡାଠାରେ ବୈତରଣୀ ନଦୀରେ ଜଳସ୍ତର ଅପେକ୍ଷାକୃତ ବୃଦ୍ଧି ଘଟିଥିଲେ ମଧ୍ଯ ବିପଦ ସ୍ତରଠୁଁ ଖୁବ୍ କମ୍ ଅଛି l ବିଭିନ୍ନ ନଦୀର ଜଳପତ୍ତନ ସ୍ତର ଉପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି l ତେବେ ଏପର୍ଯ୍ୟନ୍ତ ଲଗାଣ ବର୍ଷାରେ ବିଶେଷ ଭାବେ କୌଣସି ବ୍ୟକ୍ତି କିମ୍ବା ଘର କ୍ଷତିଗ୍ରସ୍ତ ହୋଇ ନାହାଁନ୍ତି l ବିଭିନ୍ନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ସହିତ ସମନ୍ଵୟ ରକ୍ଷା ସହ କୌଣସି ବି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି l

ତେବେ, କିଛି ଅଞ୍ଚଳରେ ଚାଷଜମି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲେ ଜିଲ୍ଲାପ୍ରଶାସନକୁ ତାହାର ସର୍ଭେ ଏବଂ କ୍ଷତି ଆକଳନ କରି ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏଥିସହିତ କ୍ଷୟକ୍ଷତିର ଚବିଶ ଘଣ୍ଟା ପୂରଣ ହେବା ପୂର୍ବରୁ ହିଁ କ୍ଷତିପୂରଣ ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଜଳସ୍ତର ହ୍ରାସ ପରେ ସମ୍ଭାବ୍ୟ ସାପ କାମୁଡ଼ା ଜନିତ ବିପଦ ହ୍ରାସ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଡାକ୍ତରଖାନାରେ ଆଣ୍ଟିଭେନମ୍ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇଛି l

ଏଥିସହିତ ରଥଯାତ୍ରା ପରେ ତିରିଶଟି ଜିଲ୍ଲା ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକି ଆଗାମୀ ଦିନରେ ଲଗାଣ ବର୍ଷାଜନିତ ସମ୍ଭାବ୍ୟ ସମସ୍ତ ପ୍ରକାର ବିପଦର ପରିଚାଳନା ନିମନ୍ତେ ବିସ୍ତ୍ରୁତ ଆଲୋଚନା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l ସେହିପରି ସ୍ଵତନ୍ତ୍ର ସହାୟତା ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ପଲିଥିନ ଏବଂ ଅନ୍ୟାନ୍ୟ ସମସ୍ତ ରିଲିଫ୍ ସମାଗ୍ରୀ ମହଜୁଦ ଥିବା ସହିତ ଓଡ୍ରାଫ୍ ଟିମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି l ସେହିପରି ଜନସାଧାରଣଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟମିତ ପୂର୍ବ ସତର୍କ ସୂଚନା ପ୍ରଦାନ କରାଯାଉଛି l  ଏହି ବୈଠକରେ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସ୍ଵତନ୍ତ୍ର ସହାୟତା ଆୟୁକ୍ତ ଶ୍ରୀ ପଦ୍ମନାଭ ବେହେରା ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲାବେଳେ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking