କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ମାମୁଁ ଘରକୁ ବୁଲିବାକୁ ଆସିଥିବା ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ହାଣି ଗୁରୁତର କରିଦେଇଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ରାଜକନିକା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ମାମୁଁ ଘରକୁ ବୁଲିବାକୁ ଆସିଥିବା ଆରସା ଗାଁର ଯୁବକ ସୌରଭଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ସୌରଭଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଖବର ପାଇ ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପଛର କାରଣ କ’ଣ ଏବଂ ଏଥିରେ କିଏ ସମ୍ପୃକ୍ତ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।










