ଅନୁଗୋଳ: ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଆଜି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । କୋଶଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ସ୍ଥାନୀୟ ମହିଳାମାନେ ତାଙ୍କୁ ଘେରାଉ କରିଥିଲେ । ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ କରିବା ପରେ ପୋଲିସ ୫ ଜଣ ଯୁବକଙ୍କୁ ମିଥ୍ୟା ମାମଲାରେ ଗିରଫ କରିଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ, ଆଜିକୁ ୮୪ ଦିନ ବିତିଯାଇଥିଲେ ମଧ୍ୟ ଗିରଫ ଯୁବକମାନଙ୍କୁ ଜାମିନ ମିଳିନାହିଁ ।ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ମହିଳାମାନେ ତାଙ୍କୁ ଘେରି ରଖିଥିଲେ । ପରେ ପୁଲିସ ହସ୍ତକ୍ଷେପ କରି ଉପମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ସେଠାରୁ ନେଇଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ କି, ଆମ ଗ୍ରାମର ୫ଜଣ ଯୁବକଙ୍କୁ ପୁଲିସ ମିଥ୍ୟା ମାମଲାରେ ଗିରଫ କଲା । ପ୍ରଶାସନ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲୁ ହେଲେ ଆଜିକୁ ୮୪ଦିନ ହେବ ଜାମିନ ନମିଳୁଥିବା ବେଳେ ପ୍ରଶାସନ ମାମଲା ପରେ ମାମଲା କରିଚାଲିଛି ।










