ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗ
ମଣ୍ଡି ଅବ୍ୟବସ୍ଥା ପାଇଁ ହଇରାଣ ହେଉଛନ୍ତି ଚାଷୀକୂଳ
ଅଦ୍ୟାବଧି ଅନେକ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି
ଧାନ ବିକ୍ରି ପାଇଁ ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ଦାବି
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ଚାଷୀକୂଳ ପାଇଁ କାଳ ସାଜିଛି । ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡି ଅବ୍ୟବସ୍ଥା ପାଇଁ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି । ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ବଦଳରେ ଡବଲ ଇଞ୍ଜିନ ସରକାର ଚାଷୀକୂଳ ପ୍ରତି ପ୍ରତାରଣା କରିଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ବିଜେପି ସରକାରର ଚାଷୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି ।
ଶ୍ରୀ ଦାସବର୍ମା କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଚାଷୀ କୂଳ ହତାଶ ହୋଇଛନ୍ତି । ମଣ୍ଡିରେ ଧାନ ବିକ୍ରି ପାଇଁ କଟନୀ ଛଟନୀରୁ ଆରମ୍ଭ କରି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀକୂଳ । ବିଜେପି ସରକାର ନିର୍ବାଚନ ସମୟରେ ଚାଷୀ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ନିର୍ବାଚନ ସମୟରେ ଧାନର ଏମଏସପି ବୃଦ୍ଧି, ଇନପୁଟ ସବସିଡି ପ୍ରଦାନ ସହ ଚାଷୀର ସମସ୍ତ ଧାନକୁ କ୍ରୟ କରିବାକୁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ଜୁନ୍ ୩୦ ରବି ଧାନ ସଂଗ୍ରହର ଶେଷ ଦିନ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ରାଜ୍ୟ ସରକାର ଏହାକୁ ୩ ଦିନ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ବିଜେପି ସରକାରର ଦୋମୁହାଁ ନୀତି ଆଜି ପଦାରେ ପଡିଛି । ମଣ୍ଡି ଗୁଡ଼ିକରେ ଖରିଫ ଓ ରବି ଧାନ ସଂଗ୍ରହରେ ଅବ୍ୟବସ୍ଥା ହେଉଥିବା ବେଳେ କୁଇଣ୍ଟାଲ ପ୍ରତି ୧୦ରୁ ୧୨ କେଜି କଟନୀ ଛଟନୀ କରାଯାଉଛି । ପଞ୍ଜୀକରଣ ସଠିକ୍ ଭାବେ ହେଉନଥିବାରୁ ଧାନ ସଂଗ୍ରହରେ ଚରମ ବିଫଳତା ଦେଖାଦେଇଛି । ଚଳିତ ଧାନ ସଂଗ୍ରହ ଆରମ୍ଭରୁ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିଛି । ବର୍ଷା ଋତୁ ଆରମ୍ଭ ହୋଇଯାଇ ଥିବାରୁ ଧାନ ମିଲକୁ ନେଇକି ଯିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ବେଳେ ପରିବାରର ପ୍ରମାଣପତ୍ର ଆଣିବା ପାଇଁ ଚାଷୀଙ୍କୁ କୁହାଗଲା । ତାହାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଚାଷୀ ଯେମିତି ମଣ୍ଡିରେ ଧାନ ବିକ୍ରି କରିନପାରୁ । ପଞ୍ଜୀକରଣ ପାଇଁ ଚାଷୀ ଆନେ୍ଦାଳନ କରିବା ପରେ ଟୋକନ ବ୍ୟବସ୍ଥାରେ ନୂଆ ସରକାରୀ ନିୟମ ଚାଷୀ ଉପରେ ଲଦି ଦିଆଗଲା ।
ଶ୍ରୀ ଦାସବର୍ମା ଆହୁରି କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଚାଷୀଙ୍କ ବଳକା ଧାନ ସଂଗ୍ରହ କରିବେ ବୋଲି ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିବା ବେଳେ ୧୫୦ କୁଇଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରିବେ ନାହିଁ ବୋଲି କହିଛନ୍ତି । ଧାନ ସଂଗ୍ରହ ନେଇ ଥିବା ଟୋକନ ଅବଧି ସମୟ ମଧ୍ୟରେ ଧାନ ସଂଗ୍ରହ କରାନଯିବା ଫଳରେ ଚାଷୀ ମାନେ ମିଲର୍ ମାନଙ୍କ ଦ୍ୱାରା ପ୍ରତାରଣାର ଶିକାର ହେଉଛନ୍ତି । ମଣ୍ଡିରେ ଧାନ ବିକ୍ରି ନ କରିପାରି ଚାଷୀ ବାଧ୍ୟ ହୋଇ କମ୍ ଦାମ୍ରେ ଦଲାଲଙ୍କୁ ବିକ୍ରି କରୁଛନ୍ତି । ଧାନ ବିକ୍ରି ଅବଧି ଶେଷ ଦିନରେ ବଳକା ଧାନ ବିକ୍ରି ପାଇଁ ମଣ୍ଡି ଅବଧି ୩ ଦିନ ବୃଦ୍ଧି କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଚାଷୀ ମାନଙ୍କ ପ୍ରତି ରାଜ୍ୟ ସରକାର ଚରମ ପ୍ରତାରଣା କରିଛନ୍ତି । ୨୦ ଲକ୍ଷ ମେଟ୍ରିକ୍ ଟନ ରବି ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ତାହା ପୂରଣ ହୋଇନଥିବା ବେଳେ ଆଜି ପର୍ଯ୍ୟନ୍ତ ୧୮,୪୬,୦୦୦ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି । ୩,୬୭,୨୨୧ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବେଳେ ୩,୩୭,୦୦୦ ଚାଷୀ ଧାନ ବିକ୍ରି କରିପାରିଛନ୍ତି । ଆହୁରି ୩୫,୦୦୦ ଚାଷୀ ୧,୫୦,୦୦୦ ମେଟ୍ରିକ୍ ଟନ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନେକ ମଣ୍ଡିରେ ପଲିଥିନ୍ ଅଭାବ ପାଇଁ ଧାନ ଭିଜୁଛି । ରବି ଧାନ ବିକ୍ରି ପାଇଁ ୩ ଦିନ ପରିବର୍ତ୍ତେ ଆହୁରି ୧୫ ଦିନ ମଣ୍ଡି ଖୋଲା ରଖିବା ସହ ଚାଷୀଙ୍କ ସମସ୍ତ ବଳକା ଧାନ ରାଜ୍ୟ ସରକାର ସଂଗ୍ରହ କରିବା ପାଇଁ ବିଜୁ ଜନତା ଦଳ ଦାବି କରିଛି ।










