30 C
Bhubaneswar
Sunday, June 28, 2026
Homeଓଡିଶାନୈତିକତା ଦୃଷ୍ଟିରୁ ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ
ଇସ୍ତଫା ଦିଅନ୍ତୁ: ବିଜେଡି

ନୈତିକତା ଦୃଷ୍ଟିରୁ ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ
ଇସ୍ତଫା ଦିଅନ୍ତୁ: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ
ପାଠ୍ୟପୁସ୍ତକରେ ତ୍ରୁଟି ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି
ହୋଇଥିବା ତ୍ରୁଟିର ତୁରନ୍ତ ସିବିଆଇ ତଦନ୍ତ କରାଯାଉ
ନଚେତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଛି । ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରିବାରେ ବିଫଳ ହୋଇଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ପାଠ୍ୟପୁସ୍ତକରେ ତ୍ରୁଟି କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରର ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଏହାଦ୍ୱାରା ଓଡ଼ିଶା ସାରା ଦେଶରେ ନିନ୍ଦିତ ହୋଇଛି । କେବଳ ଲୋକଦେଖାଣିଆ ଭାବେ ୫ ଜଣଙ୍କୁ ନିଲମ୍ବିତ କରି ଚୁପ୍ ହୋଇ ବସି ରହିଛନ୍ତି ସରକାର । ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

ଚିନ୍ମୟ ସାହୁ କହିଥିଲେ ଯେ, ନୂତନ ଏନଇପି-୨୦୨୦ ଆଧାରିତ ଓଡ଼ିଆ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି କେବଳ ଏକ ପ୍ରଶାସନିକ ଭୁଲ ନୁହେଁ, ବରଂ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆକ୍ରମଣ । ଏହି ଘଟଣା ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଲଜ୍ଜିତ କରିଛି । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରି ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧୭୬୮ଟି ତ୍ରୁଟି ଚିହ୍ନଟ ହୋଇଛି । ସେଥିରୁ ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଅଷ୍ଟମ ଶ୍ରେଣୀର ପୁସ୍ତକରେ ରହିଛି । ବନାନ, ତଥ୍ୟ, ଭୂଗୋଳ, ଇତିହାସ, ସାହିତ୍ୟ, ବ୍ୟକ୍ତିତ୍ୱଙ୍କ ନାମ, ଭୁଲ୍ ଫଟୋ ଏବଂ ଭୁଲ ସ୍ଥାନ ସମ୍ପର୍କିତ ତ୍ରୁଟି ପରିଲକ୍ଷିତ ହୋଇଛି । କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ଦର୍ଶାଯାଇଥିବା ବେଳେ ନିୟମଗିରିକୁ ଝାଡ଼ଖଣ୍ଡରେ ଥିବା ଉଲ୍ଲେଖ କରାଯାଇଛି ଏବଂ ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ବୋଲି ଲେଖିବା ସରକାରଙ୍କ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ । ପୁସ୍ତକ ପ୍ରକାଶନରେ ପ୍ରାୟ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତେଣୁ ଏହି ସମଗ୍ର ଘଟଣାର ସିବିଆଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ସମସ୍ତ ଦୋଷୀ ଅଧିକାରୀ ଓ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଇପ୍ସିତା ସାହୁ କହିଥିଲେ ଯେ, ତ୍ରୁଟିପୂର୍ଣ୍ଣ ପୁସ୍ତକ ବିଷୟରେ ଜାଣିବା ପରେ ସରକାରଙ୍କ ପ୍ରଥମ କାମ ଥିଲା ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା । କିନ୍ତୁ ସରକାର ତାହା ନକରି ଲକ୍ଷ ଲକ୍ଷ ପିଲାଙ୍କୁ ଭୁଲ ତଥ୍ୟ ପଢ଼ିବାକୁ ବାଧ୍ୟ କରିଛନ୍ତି । ଶିକ୍ଷକମାନଙ୍କୁ ପୁସ୍ତକ ସଂଶୋଧନ କରି ପଢ଼ାଇବାକୁ କହି ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି ସରକାର । ଏହି ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅନ୍ତୁ । ପ୍ରକାଶନରେ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ସମ୍ପୃକ୍ତ ଦୋଷୀଙ୍କ ଠାରୁ ଆଦାୟ କରାଯାଉ । ତଦନ୍ତ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ । ନଚେତ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ମିଳିତ ଭାବେ ରାଜ୍ୟବ୍ୟାପୀ ଗଣଆନେ୍ଦାଳନ କରିବ । ଘଟଣାରେ ସମ୍ପୃକ୍ତ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେଡିର ସଂଗ୍ରାମ ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking