35 C
Bhubaneswar
Sunday, June 28, 2026
Homeଓଡିଶାନିଲମ୍ବିତ ମନୋଜଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ୧୫ ବିଧାୟକ

ନିଲମ୍ବିତ ମନୋଜଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ୧୫ ବିଧାୟକ

ଭୁବନେଶ୍ୱର: ନୂତନ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଘଟଣାରେ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିବା ୪ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି)ର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ କଳାକାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ସେ ପାଠ୍ୟପୁସ୍ତକ ଛପାର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅବହେଳା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ମାଳ ମାଳ ତ୍ରୁଟି ଆଜି ରାଜ୍ୟ ସରକାର ଏବଂ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଜାତୀୟସ୍ତରରେ ନିନ୍ଦିତ କରିଛି। ତେବେ ଏଭଳି ଜଣେ ଅଫିସରଙ୍କ ଉପରେ କାହିଁକି ସରକାର ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଦୁଇବର୍ଷ ତଳୁ ମନୋଜଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୫ ବିଧାୟକ ଓ ଜଣେ ଏମ୍‌ପି ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ଫଳ ଏବେ ଭୋଗିବାକୁ ପଡୁଛି ବୋଲି ଆଲୋଚନା ହେଉଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଥିବାବେଳେ ତାଙ୍କୁ ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଦୁଇବର୍ଷ ଧରି ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଥିବାବେଳେ ତାଙ୍କ ବିରୋଧରେ ବହୁ ଅଭିଯୋଗ ଆସିଥିଲା। ମନୋଜ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିଲେ। ନନ୍‌ସେନ୍ସ୍‌, ଇଡିଅଟ୍‌ ଏବଂ ଗେଟ୍‌ ଆଉଟ୍‌ ଭଳି ଶବ୍ଦ ପ୍ରୟୋଗ କରୁଥିଲେ। ଏହାକୁ ନେଇ କମର୍ର୍ଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ ଭୟର ବାତାବରଣ ଲାଗିରହୁଥିଲା। ଡିସେମ୍ବର ୨୦୨୪ରେ ଭାଜପାର ୧୫ ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏଭଳି ଅଭିଯୋଗ ଆଣିବା ସହ ମନୋଜଙ୍କୁ ସେଠାରୁ ବଦଳି କରାଯାଉ ନଚେତ ଟିଇ ଆଣ୍ଡ୍‌ ଏସସିଇଆରଟିର ଅତିରିକ୍ତ ଦାୟିତ୍ୱ ତାଙ୍କଠାରୁ ପ୍ରତ୍ୟାହାର କରାଯାଉ ବୋଲି ଅନୁରୋଧ କରିଥିଲେ। ପୂର୍ବରୁ ମୟୂରଭଞ୍ଜ ଏମ୍‌ପିଙ୍କ ଚିଠି ଆଧାରରେ ମନୋଜଙ୍କୁ ଟିଇ ଆଣ୍ଡ୍‌ ଏସ୍‌ସିଇଆରଟିର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା। କିନ୍ତୁ ବିପୁଳ ଟଙ୍କା ଦେଇ ଓ ଜଣେ ଉଚ୍ଚ ତଥା କ୍ଷମତାଶାଳୀ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁ ସେ ପୁଣି ସେହି ପଦବୀରେ ନିଯୁକ୍ତ ହୋଇଥିବା ନେଇ ବିଧାୟକମାନେ ଚିଠିରେ ଲେଖିଥିଲେ। ତେବେ ମନୋଜଙ୍କ ଏସବୁ କାରନାମା ପଛରେ ଥିବା କ୍ଷମତାଶାଳୀ ଉଚ୍ଚ ଅଧିକାରୀ ଜଣକ କିଏ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଏବେ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଘଟଣାରେ ସେ ମଧ୍ୟ ସାମିଲ ଥିବା ଆଲୋଚନା ହେଉଛି। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ଖୋଜି ବାହାର କରିବା ସହ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବିତ ମନୋଜଙ୍କ ସହ ଲିଙ୍କ୍‌ରେ ଥିବା ଅନ୍ୟ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking