35 C
Bhubaneswar
Friday, June 26, 2026
Homeଓଡିଶାକର୍ଣ୍ଣାଟକର ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ କଲେ ଜାତୀୟ ରେକର୍ଡ

କର୍ଣ୍ଣାଟକର ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ କଲେ ଜାତୀୟ ରେକର୍ଡ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ କେତେକ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଦ୍ୱାରା ରଖାଯାଇଥିବା ଯୋଗ୍ୟତା ମାନଦଣ୍ଡକୁ ଦ୍ୱିତୀୟ ଦିନରେ ୧୭ ଜଣ ଆଥଲେଟ୍ ପାର୍ କରିଛନ୍ତି।୨୬ ବର୍ଷୀୟା ସିନ୍ଧୁଶ୍ରୀ ମହିଳା ପୋଲ୍ ପୋଲ୍ ଭଲ୍ଟ ରେ ସୁନା ପଦକ ଜିତିବା ସହ ୪.୨୫ ମିଟର ଉଚ୍ଚତା ଡେଇଁ ଏକ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ସୀମା ୪.୧୦ ମିଟର ରହିଥିଲା। ଏହା ପୂର୍ବରୁ ବାରନିକା ୪.୨୩ ମିଟରର ଜାତୀୟ ରେକର୍ଡ କରିଥିଲେ, ଯିଏ କି ଏହି ପ୍ରତିଯୋଗିତାରେ ୪.୨୦ ମିଟର ଡେଇଁ ରୁପା ପଦକ ପାଇଛନ୍ତି।

ସିନ୍ଧୁଶ୍ରୀ ୨୦୨୩ ମସିହାରେ ପବିତ୍ରା ଭେଙ୍କଟେଶଙ୍କ ଦ୍ୱାରା କରାଯାଇଥିବା ୪.୧୦ ମିଟରର ମିଟ୍ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଏହି ସଫଳତାରେ ଖୁସି ପ୍ରକାଶ କରି ସିନ୍ଧୁଶ୍ରୀ କହିଛନ୍ତି ଯେ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ, କିନ୍ତୁ ଜାତୀୟ ରେକର୍ଡ ହେବା ତାଙ୍କ ପାଇଁ ଏକ ବଡ଼ ଉପହାର ଭଳି। ମଧ୍ୟପ୍ରଦେଶର ନିତିକା ଆକାରେ ୪.୧୦ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିବାରେ ତୃତୀୟ ଖେଳାଳି ହୋଇଛନ୍ତି।

ଟ୍ରାକ୍ ଇଭେଣ୍ଟ: ମହିଳାମାନଙ୍କ ୨୦୦ ମିଟର ଏବଂ ୮୦୦ ମିଟର ଦୌଡ଼ରେ ପ୍ରଥମ ତିନି ସ୍ଥାନରେ ଥିବା ସମସ୍ତ ଖେଳାଳି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇଛନ୍ତି। ସେହିପରି ମହିଳା ଶଟ୍‌ପୁଟ୍ ରେ ମଧ୍ୟ ସମସ୍ତ ତିନି ପଦକ ବିଜେତା ଯୋଗ୍ୟତା ହାସଲ କରିଛନ୍ତି।

ଓଡ଼ିଶାର ତାରକା ଧାବକ ଅନିମେଶ କୁଜୁର ପୁରୁଷ ୨୦୦ ମିଟର ଦୌଡ଼ରେ ଏସୀୟ କ୍ରୀଡ଼ା ଯୋଗ୍ୟତା ପାଇଥିବା ଏକମାତ୍ର ଆଥଲେଟ୍ ବନିଛନ୍ତି। ସେ ୨୦.୭୪ ସେକେଣ୍ଡରେ ଦୌଡ଼ ପୂରା କରି ସୁନା ପଦକ ଜିତିଛନ୍ତି (ଯୋଗ୍ୟତା ସମୟ ୨୦.୮୮ ସେକେଣ୍ଡ ଥିଲା)।

ପୁରୁଷ ୮୦୦ ମିଟର: କେରଳର ମହମ୍ମଦ ଆଫସଲ୍ (୧:୪୮.୫୭ ସେକେଣ୍ଡ) ପ୍ରଥମ ଏବଂ ହରିୟାଣାର କ୍ରିଷନ୍ କୁମାର (୧:୪୮.୮୨ ସେକେଣ୍ଡ) ଦ୍ୱିତୀୟ ସ୍ଥାନରେ ରହି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇଛନ୍ତି।

ଦ୍ୱିତୀୟ ଦିନର ମୁଖ୍ୟ ଫଳାଫଳ (ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ):

ପୁରୁଷ ବିଭାଗ:

୨୦୦ ମିଟର ଦୌଡ଼: ଅନିମେଶ କୁଜୁର (ଓଡ଼ିଶା) – ୨୦.୭୪ ସେକେଣ୍ଡ, ଡି. ମୃତ୍ୟୁଞ୍ଜୟ ଜୟରାମ (ଓଡ଼ିଶା) – ୨୦.୭ ସେକେଣ୍ଡ, ଜିଶ୍ନୁ ପ୍ରସାଦ (କେରଳ) – ୨୧.୧୮ ସେକେଣ୍ଡ।

୮୦୦ ମିଟର ଦୌଡ଼: ମହମ୍ମଦ ଆଫସଲ୍ (କେରଳ) – ୧:୪୮.୫୭ ସେକେଣ୍ଡ, କ୍ରିଷନ୍ କୁମାର (ହରିୟାଣା) – ୧:୪୮.୮୨ ସେକେଣ୍ଡ, ପ୍ରଥମେଶ ଦେଓରେ (ମହାରାଷ୍ଟ୍ର) – ୧:୪୮.୮୯ ସେକେଣ୍ଡ।

ଡିସ୍କସ୍‌ ଥ୍ରୋ (ଥାଳି ଫିଙ୍ଗା): କିରପାଲ୍ ସିଂହ (ଚଣ୍ଡୀଗଡ଼) – ୫୭.୩୭ ମିଟର, ନିର୍ଭୟ ସିଂହ (ହରିୟାଣା) – ୫୫.୨୬ ମିଟର, ଅର୍ଜୁନ (ଦିଲ୍ଲୀ) – ୫୪.୯୦ ମିଟର।

୨୧ କିଲୋମିଟର ଚାଲିବା ପ୍ରତିଯୋଗିତା: ସେଭିନ୍ ସେବାଷ୍ଟିଆନ୍ (ତାମିଲନାଡୁ) – ୧:୩୧:୪୯, ସଚିନ୍ ବୋହରା (ଉତ୍ତରାଖଣ୍ଡ) – ୧:୩୨:୧୦, ନିଙ୍ଗଥୌଖୋଙ୍ଗଜା (ମଣିପୁର) – ୧:୩୨:୨୪।

ଡିକାଥଲନ୍‌ (୧୦ଟି ଇଭେଣ୍ଟର ଖେଳ): ଥୌଫିକ୍ ଏନ୍ (କେରଳ) – ୭୨୭ ପଏଣ୍ଟ, କୁଶଲ ମୋହିତେ (ମହାରାଷ୍ଟ୍ର) – ୭୨୫୧ ପଏଣ୍ଟ, ଯଶବୀର ନାୟକ (ଓଡ଼ିଶା) – ୭୧୩୧ ପଏଣ୍ଟ।

ମହିଳା ବିଭାଗ:

୨୦୦ ମିଟର ଦୌଡ଼: ହରିତା ଭଦ୍ରା (ମହାରାଷ୍ଟ୍ର) – ୨୩.୧୪ ସେକେଣ୍ଡ, ଉନ୍ନତି ବୋଲାଣ୍ଡା (କର୍ଣ୍ଣାଟକ) – ୨୩.୪୦ ସେକେଣ୍ଡ, ପ୍ରକୃତି ରାଓ (କର୍ଣ୍ଣାଟକ) – ୨୩.୫୮ ସେକେଣ୍ଡ।

୮୦୦ ମିଟର ଦୌଡ଼: ଗୌତମୀ ଜୟରାମନ୍ (ତାମିଲନାଡୁ) – ୨:୦୪.୧୭, ପୂଜା (ହରିୟାଣା) – ୨:୦୪.୩୭ ସେକେଣ୍ଡ, ଲିଲି ଦାସ (ଉତ୍ତରାଖଣ୍ଡ) – ୨:୦୪.୫୯ ସେକେଣ୍ଡ।

ଶଟ୍‌ପୁଟ୍ (ଗୋଲକ ଫିଙ୍ଗା): ମନପ୍ରୀତ କୌର (ହରିୟାଣା) – ୧୭.୭୫ ମିଟର, କ୍ରିଷ୍ଣା ଜୟଶଙ୍କର (ତାମିଲନାଡୁ) – ୧୬.୬୯ ମିଟର, ସୃଷ୍ଟି ଭିଗ୍ (ଦିଲ୍ଲୀ) – ୧୬.୯୬ ମିଟର।

ପୋଲ୍ ଭଲ୍ଟ (ବାଉଁଶ କୁଦା): ସିନ୍ଧୁଶ୍ରୀ ଜି (କର୍ଣ୍ଣାଟକ) – ୪.୨୫ ମିଟର, ବାରଣିକା ଏଲାଙ୍ଗୋଭାନ୍ (ତାମିଲନାଡୁ) – ୪.୨୦ ମିଟର, ନିତିକା ଆକାରେ (ମଧ୍ୟପ୍ରଦେଶ) – ୪.୧୦ ମିଟର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking