ରାଉରକେଲା: ରାଉରକେଲା ରେଳ ଷ୍ଟେସନ ପରିସରରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଷ୍ଟେସନରେ କାର୍ଯ୍ୟରତ ଜଣେ ଭେଣ୍ଡର ଯୁବକଙ୍କୁ ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ଷ୍ଟେସନର ଏକ ଅନ୍ଧାରୁଆ ସ୍ଥାନରେ ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତମାନେ ସୁଯୋଗ ଦେଖି ଯୁବକଙ୍କ ଉପରେ ହଠାତ୍ ଆକ୍ରମଣ କରି ଫେରାର ହୋଇଯାଇଥିବା କୁହାଯାଉଛି । ତେବେ ଆକ୍ରମଣର କାରଣ କଣ, ଏହା ପଛରେ ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନ ପରିସରରେ ଏଭଳି ଛୁରାମାଡ଼ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ପୁଲିସ ତଦନ୍ତ ପରେ ହିଁ ଆକ୍ରମଣ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ ।










