ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ତ୍ରୁଟି । କେଉଁଠି ବନାନ ଭୁଲ ତ ଅଉ କେଉଁଠି ମହାପୁରୁଷଙ୍କ ଫଟୋ ଭୁଲ୍ । ଏମିତିକି ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଫଟୋ ରହିଛି । ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ନିୟମଗିରି ଦର୍ଶାଯାଇଛି । ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କରାଯାଇଛି । ଡଙ୍ଗରିଆ ଜନଜାତିକୁ ଢୋଙ୍ଗାରିଆ ବୋଲି ଲେଖାହୋଇଛି । ଏପରି ଅନେକ ଭୁଲ୍ ରହିଛି ବହିରେ ।
ସର୍ବାଧିକ ୭୦୫ଟି ଭୁଲ ଅଷ୍ଟମ ଶ୍ରେଣୀରେ ରହିଛି । ଜାତୀୟ ଶିକ୍ଷାନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ପାଠ୍ୟକ୍ରମ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି । ଏପରିକି ସ୍କୁଲରେ ପିଲାଙ୍କୁ ମଧ୍ୟ ବଣ୍ଟନ କରାଗଲାଣି । ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମରେ ମାଳ ମାଳ ଭୁଲ୍ ଦେଖିବାକୁ ମିଳିଛି । ଏପରି ଭୁଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପ୍ରାଥମିକ ଶିକ୍ଷକ ସଂଘ ।










