ଭୁବନେଶ୍ୱର : ବନ୍ଦ୍ ହୋଇ ପଡ଼ିଥିବା ସମବାୟ ସୂତାକଳ, କଳତନ୍ତ୍ର ୟୁନିଟ୍ ଓ ସାଇଜିଂ ୟୁନିଟ୍ର ପୁନରୁଦ୍ଧାର କରାଯିବ। ବକେୟା ଦେୟ ପରିଶୋଧ କରିବେ ରାଜ୍ୟ ସରକାର। ଏଥିପାଇଁ ୨୦୦ କୋଟିର ବଜେଟ୍ ବ୍ୟବସ୍ଥା ହୋଇଛି। ଏହାକୁ ଓଡ଼ିଶା କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଫଳରେ ବୟନଶିଳ୍ପ ପୁନର୍ଜୀବିତ ହେବା ସହ ଶିଳ୍ପ ଭିତ୍ତିଭୂମିକୁ ବୃଦ୍ଧି କରିବା, ନିବେଶ ଓ ଚାକିରି ସୃଷ୍ଟି ପାଇଁ ନୂତନ ସୁଯୋଗ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ଭବ ହେବ। ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
ଶୁକ୍ରବାର ବିଳମ୍ବିତ ରାତ୍ରୀଯାଏ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୬ ବିଭାଗର ୮ ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଥିବା ସେ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ବନ୍ଦ ସମବାୟ ସୂତାକଳ ଓ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପରିଶୋଧ ପାଇଁ ବଜେଟ୍ ବ୍ୟବସ୍ଥା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଐତିହାସିକ ନିଷ୍ପଭି ମାଧ୍ୟମରେ ଉକ୍ତ ୟୁନିଟ୍ଗୁଡ଼ିକର ଜମିକୁ ନୂତନ ରୋଜଗାରଭିଭିକ ଶିଳ୍ପ ପାଇଁ ଉପଲବ୍ଧ କରାଯିବ। ଏହା ରାଜ୍ୟରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି ଏବଂ ଆର୍ôଥକ ବିକାଶକୁ ଗତିଶୀଳ କରିବ ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସମବାୟ ସ୍ପିନିଂ ମିଲ୍ସ ଫେଡେରେସନ୍ ଲିମିଟେଡ୍ ଅଧୀନରେ ପରିଚାଳିତ ଏବଂ ଓଡ଼ିଶା ସମବାୟ ସମିତି ଆଇନ, ୧୯୬୨ ଅନୁଯାୟୀ ପଞ୍ଜୀକୃତ ଏହି ୟୁନିଟ୍ଗୁଡ଼ିକ ଆର୍ôଥକ ସଙ୍କଟ, ପୁରୁଣା ଓ ଅପ୍ରଚଳିତ ଯନ୍ତ୍ରପାତି ଓ ବିଭିନ୍ନ ପ୍ରକାରର ଅସୁବିଧା ଯୋଗୁଁ କ୍ରମଶଃ ଅଚଳ ହୋଇପଡ଼ିଥିଲା । ଏହି ୟୁନିଟ୍ଗୁଡ଼ିକର ପୁନରୁଦ୍ଧାର ଆର୍ôଥକ ଦୃଷ୍ଟିରୁ ସମ୍ଭବପର ନ ଥୁବାରୁ, ରାଜ୍ୟ ସରକାର ସେଗୁଡ଼ିକୁ ସମାପନ କରିବା କିମ୍ବା ଘରୋଇକରଣ କରିବାକୁ ନିଷ୍ପଭି ନେଇଥିଲେ, ଯାହାଦ୍ୱାରା ସେମାନଙ୍କର ସମ୍ପଭିଗୁଡ଼ିକୁ ନୂତନ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନିମନ୍ତେ ବ୍ୟବହାରଯୋଗ୍ୟ କରାଯାଇପାରିବ।
ଏହି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବା ପାଇଁ ଦେୟ ପରିଶୋଧ, ସମ୍ପଭି ହସ୍ତାନ୍ତର ଏବଂ ଜମିର ସଦୁପଯୋଗ ଉପରେ ତଦାରଖ କରିବା ନିମନ୍ତେ ଏକ ଏମ୍ପାପାୱାର୍ଡ଼ କମିଟି ଗଠନ କରାଯାଇଥିଲା। ବିସ୍ତୃତ ରିପୋର୍ଟ ମିଳିଛି। ଯାଞ୍ଚ ପରେ ୨୬୧.୨ ଏକର ଜମିରେ ବିସ୍ତୃତ ସୂତାକଳ, କଳତନ୍ତ ୟୁନିଟ୍ ଏବଂ ଗୋଟିଏ ସାଇଜିଂ ୟୁନିଟ୍ର ବୈଧାନିକ ଏବଂ ଅଣ-ବୈଧାନିକ ବକେୟା ଦେୟର ପରିମାଣ ୩୬୧.୬୭ କୋଟି ଟଙ୍କା ଭାବେ ନିର୍ଦ୍ଧାରଣ କରାଯାଇଥିଲା।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, କ୍ୟାବିନେଟ୍ ଏହି ଅଚଳ ୟୁନିଟ୍ଗୁଡ଼ିକର ବକେୟା ଦେୟ ପରିଶୋଧ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ଏହି ପାଣ୍ଠି ଋଣଦାତାମାନଙ୍କ ବକେୟା ଦେୟର ଏକକାଳୀନ ସମାଧାନରେ ସହାୟତା କରିବ, ଯାହା ଆଇନଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବ ଏବଂ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ, ବିଶେଷକରି ବୟନଶିଳ୍ପ ଏବଂ ପୋଷାକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମିକୁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମକୁ ହସ୍ତାନ୍ତର କରିବାରେ ସୁବିଧା ହେବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି।









