32.1 C
Bhubaneswar
Friday, June 12, 2026
Homeଓଡିଶାମହିଳା ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା; ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର:...

ମହିଳା ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା; ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

ଭୁବନେଶ୍ୱର : ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା କହିଛନ୍ତି ଯେ, ବିଜେପିର ନାରୀଶକ୍ତି ବନ୍ଦନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି । ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କୁ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନ ପଚାରି ଅପମାନିତ ଏବଂ ଆକ୍ରମଣର ଶିକାର ହେବାକୁ ପଡ଼ୁଛି ।ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ଚାମେଲୀ ଓଝା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ବିଜେପି ଦଳର ସକି୍ରୟ ସଦସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରୁଛନ୍ତି । ଚାମେଲୀଙ୍କ ପ୍ରତି ହୋଇଥିବା ଅପମାନ ସମଗ୍ର ନାରୀ ଜାତି ଓ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ବିଜେପି ସମର୍ଥିତ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଯେଉଁଭଳି ଭାବେ ଆକ୍ରମଣର ଶିକାର ହୋଇଛନ୍ତି, ତାହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାମେଲୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଉଥିବା ଲୋକଙ୍କୁ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଗିରଫ କରିବାରେ ବିଫଳ ହୋଇଛି । ଚାମେଲୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମୋବାଇଲ ଫୋନ୍ରେ ଥିବା ଅନେକ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାକୁ ପୋଲିସ୍ ଉଦ୍ୟମ କରୁଛି ।

ଯେଉଁଭଳି ଭାବେ ପୋଲିସ୍ ତାଙ୍କୁ ଘୋସାରି ଘୋସାରି ନେବା ଏବଂ ପରବର୍ତ୍ତୀ ଅବସ୍ଥାରେ ଥାନା ଓ ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଚାମେଲୀଙ୍କ ବୟାନରୁ ସ୍ପଷ୍ଟ ଯେ, ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଛି । ତାଙ୍କ ବାପା ଓ ଭାଇଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି । ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ନେତୃତ୍ୱର ସୁଯୋଗ ମିଳିଥିଲା । ଆଜି ସେହି ବ୍ୟବସ୍ଥାରେ ଜଣେ ମହିଳା ପ୍ରତିନିଧିଙ୍କ ପ୍ରତି ନିର୍ଯାତନା ଅତ୍ୟନ୍ତ ଉଦ୍ବେଗଜନକ ।
ଶ୍ରୀମତୀ ମିନତୀ ବେହେରା କହିଥିଲେ ଯେ, ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ସରପଞ୍ଚ ଚାମେଲୀ ଓଝାଙ୍କୁ ସର୍ବସମ୍ମୁଖରେ ଯେଉଁଭଳି ନିର୍ଯାତନା ଓ ଅପମାନର ଶିକାର ହେବାକୁ ପଡ଼ିଲା, ତାହା ରାଜ୍ୟ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି । ଏହା କେବଳ ଚାମେଲୀଙ୍କ ପ୍ରତି ନୁହେଁ, ସମଗ୍ର ନାରୀ ଜାତି ପ୍ରତି ଅପମାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଅପମାନ ଦେଇ ମିଥ୍ୟା ମୋକଦ୍ଦମାରେ ଜଡ଼ିତ କରି ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଛନ୍ତି ବିଜେପି ସରକାର । ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ସିସିଟିଭି ଫୁଟେଜ୍ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ସରପଞ୍ଚ ଚାମେଲୀ ଓଝାଙ୍କ ମୋବାଇଲ୍ ଫୋନ୍ ତୁରନ୍ତ ଫେରସ୍ତ କରାଯାଉ । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ ଏବଂ ତାଙ୍କ ଅଭିଯୋଗର ନ୍ୟାୟସଙ୍ଗତ ତଦନ୍ତ କରାଯାଉ । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ କୌଣସି ପ୍ରକାରର ଅନ୍ୟାୟକୁ ବିଜେଡି ସହ୍ୟ କରିବ ନାହିଁ । ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେଡି ଏହି ପ୍ରସଙ୍ଗରେ ଆନେ୍ଦାଳନ ଓ ସଂଗ୍ରାମ ଜାରି ରଖିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking