ମୟୂରଭଞ୍ଜ: ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡିଓ ବନଜା ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଚରମ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବଜ୍ଞା ଏବଂ ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ ତାଙ୍କୁ ତୁରନ୍ତ ସରକାରୀ ସେବାରୁ ନିଲମ୍ବନ ସସପେଣ୍ଡ କରିବାକୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓ ଆର୍. ଏସ୍. ଗୋପାଳନ, ଚିଠି ଲେଖି ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଇଆରଓଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ଏସଆଇଆର୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତ ମେ’ ୨୩ ତାରିଖରେ ଆୟୋଜିତ ଭର୍ଚ୍ଚୁଆଲ୍ ଟ୍ରେନିଂରେ ବନଜା ଦାସ ଅନୁପସ୍ଥିତ ଥିଲେ । ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ, ଯାହା ତାଙ୍କର ସରକାରୀ ନିୟମ ପ୍ରତି ଉଦାସୀନତାକୁ ଦର୍ଶାଉଛି ।










