28.1 C
Bhubaneswar
Tuesday, June 2, 2026
Homeଓଡିଶାପଞ୍ଜୀକରଣ କାର୍ଯ୍ୟାଳୟରେ ସ୍ମାର୍ଟ୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ପଞ୍ଜୀକରଣ କାର୍ଯ୍ୟାଳୟରେ ସ୍ମାର୍ଟ୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଇଜିଆର୍ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଓଡ଼ିଶାର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ଏହାର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ସମନ୍ୱିତ ନିରୀକ୍ଷଣ ଏବଂ ମନିଟରିଂ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l

ବୈଠକରେ ବିଶଦ ଆଲୋଚନା କରି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବାଦ୍ ଦେଇ ପଞ୍ଜୀକରଣ କାର୍ଯ୍ୟାଳୟକୁ ବିନା କୌଣସି କାରଣରେ ପ୍ରତ୍ୟହ ବାରମ୍ବାର ଆସୁଥିବା ମଧ୍ୟସ୍ଥିମାନଙ୍କ ଦ୍ଵାରା ହିଁ ଦୁର୍ନୀତି ହେବାର ସମ୍ଭାବନା ଥାଏ l ଏଥିନିମନ୍ତେ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍ମାର୍ଟ୍ ସର୍ଭେଲାନ୍ସ୍ ସିଷ୍ଟମର ବ୍ୟବସ୍ଥା କରାଯାଇ ଏଇ ତଥାକଥିତ ମଧ୍ୟସ୍ଥିମାନଙ୍କୁ ଚିହ୍ନଟ କରାଯିବ l ସ୍ମାର୍ଟ ସର୍ଭଲୋନ୍ସ ସିଷ୍ଟମକୁ ଏଆଇର ଉପଯୋଗ କରି ଅଧିକ ସୁଦୃଢ଼ ଏବଂ ପ୍ରଭାବଶାଳୀ କରାଯିବା ସହ ଏଇ ମଧ୍ୟସ୍ଥିମାନଙ୍କୁ ଚିହ୍ନଟ କରି ଦଣ୍ଡିତ ମଧ୍ଯ କରାଯିବ l ଜମି କିଣାବିକା ଏବଂ ପଞ୍ଜିକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ମଧ୍ୟସ୍ଥିଙ୍କ ପ୍ରଭାବରୁ ଦୂରରେ ରଖାଯିବ ଏବଂ ଦୁର୍ନୀତିକୁ କୌଣସିମତେ ପ୍ରଶ୍ରୟ ଦିଆଯିବ ନାହିଁ l ସ୍ଵଚ୍ଛ, ଦୁର୍ନୀତିମୁକ୍ତ ଏବଂ ପାରଦର୍ଶୀ ରାଜସ୍ୱ ପ୍ରଶାସନକୁ ସୁନିଶ୍ଚିତ କରିବା ଦିଗରେ ସର୍ବାଧିକ ଗୁରୁତ୍ଵ ଦିଆଯାଇ ପ୍ରଥମେ ପଞ୍ଜୀକରଣ ବ୍ୟବସ୍ଥାକୁ ମଧ୍ୟସ୍ଥିଙ୍କ ଠାରୁ ମୁକ୍ତ କରାଯିବ l

ସେହିପରି ଆଗକୁ ମଧ୍ଯ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟାଳୟ, ତହସିଲ୍ ଏବଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ଯ ସ୍ମାର୍ଟ ସର୍ଭଲାନ୍ସ ବ୍ୟବସ୍ଥା ଗ୍ରହଣ କରାଯିବ l ସେହିପରି ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀମାନଙ୍କ କାର୍ଯ୍ୟାଳୟରେ ଉପସ୍ଥିତି ଏବଂ କାର୍ଯ୍ୟରତ ସମୟ ସମ୍ପର୍କରେ ବିଶଦ ଦୃଷ୍ଟି ରଖାଯିବା ସହ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ଟ୍ରାକିଂ ମଧ୍ଯ କରାଯିବ l ରାଜ୍ୟ ମୁଖ୍ୟାଳୟରେ ମଧ୍ଯ ମାନ୍ୟବର ମନ୍ତ୍ରୀ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କସ୍ତରରେ ସମୟାନୁକ୍ରମେ ଏହାର ନିରୀକ୍ଷଣ କରାଯିବ l ଅଧିକାରୀମାନଙ୍କ ଉପସ୍ଥିତି-ଅନୁପସ୍ଥିତି ଉପରେ ଏହି ସ୍ମାର୍ଟ ସର୍ଭେଲାନ୍ସ୍ ସିଷ୍ଟମ୍ ଦ୍ଵାରା ତୀକ୍ଷ୍ଣ ନଜର ରଖାଯିବ l ଅଗ୍ନି-ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ଯରେ ସତର୍କ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ l ସ୍ମାର୍ଟ ସର୍ଭେଲାନ୍ସ୍ ସିଷ୍ଟମର କଣ୍ଟ୍ରୋଲ୍ ରୁମ୍ ବା ନିୟନ୍ତ୍ରଣ କକ୍ଷର ସାମର୍ଥ୍ୟ ବୃଦ୍ଧି କରାଯିବ l ରିୟଲ୍ ଟାଇମ୍ ମନିଟରିଂ ବା ପ୍ରତ୍ୟକ୍ଷ ସମୟ ତଦାରଖ ବ୍ୟବସ୍ଥା ପରି ନୂତନ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ରାଜସ୍ୱ ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ସହ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଦେଇଥିଲେ l ଆଗାମୀ ଦିନରେ ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପଞ୍ଜୀକରଣ ଅଧିକାରୀଙ୍କୁ ଆବଶ୍ୟକସ୍ଥଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବରେ ଅଧିକ କ୍ଷମତା ପ୍ରଦାନ କରାଯିବ l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ରାଜ୍ୟ ପଞ୍ଜୀକରଣ ମହାନିର୍ଦ୍ଦେଶକ ପି. ଅନ୍ୱେଷା ରେଡ୍ଡୀ, ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରକାଶ ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଦିଗନ୍ତ ରାଉତରାୟ, ଓକାକର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking