ଭୁବନେଶ୍ୱର: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ବୁଝି ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ୨୦୨୩ ବ୍ୟାଚର ଓଡିଶା ଅର୍ଥ ସେବା (ଓଏଫଏସ) ଏବଂ ଓଡିଶା କର ଏବଂ ହିସାବ ସେବା (ଓଟିଆଣ୍ଡଏଏସ) ର ଶିକ୍ଷାନବୀଶ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ (ଏମଡିଆରଏଏଫଏମ)ର ୨୦୨୩ ବ୍ୟାଚର ଓଏଫଏସ ଏବଂ ଓଟିଆଣ୍ଡଏଏସ ଶିକ୍ଷାନବୀଶଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏହି ପରାମର୍ଶ ଦେଇଛନ୍ତି I ଏହି ଅବସରରେ ଶକ୍ତି ଆମଦାନୀ ଉପରେ ନିର୍ଭରଶୀଳତାରୁ ଉପୁଜିଥିବା ବିଦେଶୀ ମୁଦ୍ରା ଚାପ ସମେତ ଦେଖା ଯାଇଥିବା ଜାତୀୟ ଆର୍ଥିକ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟପାଳ କହିଥିଲେ ଯେ ଶିକ୍ଷାନବୀଶ ଅଧିକାରୀମାନେ ନୀତିଗତ ଉଦ୍ଦେଶ୍ୟ ଏବଂ ତୃଣମୂଳସ୍ତରୀୟ ବାସ୍ତବତା ଉଭୟକୁ ବୁଝିବା ଉଚିତ ଯାହା ଦ୍ୱାରା ସରକାରୀ ଯୋଜନାଗୁଡ଼ିକୁ ଦକ୍ଷତାର ସହିତ କାର୍ଯ୍ୟକାରୀ କରାଯାଇପାରିବ ଏବଂ ଏହାର ଲାଭ ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ।
ଭୂରାଜନୈତିକ ଉତ୍ତେଜନାର ପ୍ରଭାବ ଜନିତ ବର୍ତ୍ତମାନର ଆର୍ଥିକ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ପଶ୍ଚିମ ଏସିଆରୁ ଅଶୋଧିତ ତୈଳ ଆମଦାନୀ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଆଲୋକପାତ କରିଥିଲେ। ଭାରତ ଅଶୋଧିତ ତୈଳ ଆମଦାନୀ ଉପରେ ପ୍ରଚୁର ପରିମାଣର ବୈଦେଶିକ ମୁଦ୍ରା ଖର୍ଚ୍ଚ କରେ I ଏ ଦିଗରେ ସାଧାରଣ ଆଚରଣରେ ଛୋଟ ପରିବର୍ତ୍ତନ ମଧ୍ୟ ଅର୍ଥନୀତି ଉପରେ ଚାପ ହ୍ରାସ କରିବାରେ ସାହାଯ୍ୟ କରିପାରିବ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଥିଲେ। ପେଟ୍ରୋଲ ଏବଂ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଆହ୍ୱାନ ଜଣାଇବା ସହିତ କ୍ରମଶଃ ଭାବେ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ରାଜ୍ୟପାଳ ପ୍ରୋତ୍ସାହିତ କରିଥିଲେ। ରାଜ୍ୟପାଳ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ରାଜ୍ୟପାଳଙ୍କ କାରକେଡରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ଧରି ବୈଦ୍ୟୁତିକ ଯାନବାହନ ବ୍ୟବହୃତ ହେଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଏବଂ ଇଭି ଚାର୍ଜିଂ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଛାତ ଉପରେ ସୌର ପ୍ରଣାଳୀର ସମ୍ଭାବନାକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ବୈଦ୍ୟୁତିକ ଗତିଶୀଳତାର ଅଭିବୃଦ୍ଧି ସ୍ୱଚ୍ଛ ଶକ୍ତି ଉତ୍ପାଦନ ସହିତ ସମନ୍ୱୟରେ ଯିବା ଉଚିତ।
କିଛି ଇଚ୍ଛାଧିନ ଖର୍ଚ୍ଚ ଅଭ୍ୟାସରେ ମିତଵ୍ୟୟିତା ଅବଲମ୍ବନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ ସୁନା କ୍ରୟକୁ ସ୍ଥଗିତ ରଖିବା ଏବଂ କିଛି ସମୟ ପାଇଁ ବିଦେଶ ଯାତ୍ରା ହ୍ରାସ କରିବା ଦ୍ୱାରା ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମ ହୋଇପାରିବ। ଆର୍ଥିକ ସ୍ଥିରତାକୁ ସମର୍ଥନ କରିବା ପାଇଁ ବ୍ୟାପକ ପ୍ରୟାସର ଅଂଶ ଭାବରେ ରନ୍ଧନ ତୈଳ ବ୍ୟବହାର ହ୍ରାସ କରିବା ବିଷୟରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ I ଉପସ୍ଥିତ ଅଧିକାରୀମାନଙ୍କୁ ପିଏମଏସବିୱାଇ, ପିଏମଯେଯେବିୱାଇ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ପ୍ରମୁଖ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ I ଏ ଦିଗରେ ପ୍ରଭାବଶାଳୀ ସାର୍ବଜନୀନ ସେବା ପ୍ରଦାନ ପାଇଁ ଉପଯୁକ୍ତ ଜ୍ଞାନ ଜରୁରୀ ବୋଲି ରାଜ୍ୟପାଳ କହିଥିଲେ । ଯୋଗ୍ୟ ଅଧିକାରୀମାନଙ୍କୁ ପ୍ରଯୁଜ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ୟକ୍ତିଗତ ଭାବରେ ଶିକ୍ଷାନବୀଶ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଏମଡିଆରଏଏଫଏମ ନିର୍ଦ୍ଦେଶକ ସନ୍ତୋଷ କୁମାର ସୁଆର ରାଜ୍ୟପାଳଙ୍କୁ ଶିକ୍ଷାନବୀଶ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ I










