ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନ ପାଇଁ ବିଶେଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାୟୀ, ମୌସୁମୀ ମେ ୨୨ରୁ ୩୦ ତାରିଖ ଭିତରେ କେରଳ ଛୁଇଁପାରେ। ସାଧାରଣତଃ ଦେଶରେ ମୌସୁମୀ ପହଞ୍ଚିବାର ସମୟ ଜୁନ୍ ୧ ତାରିଖ ହୋଇଥିବାବେଳେ ଏଥର ପାଖାପାଖି ୬ ଦିନ ପୂର୍ବରୁ ମେ ୨୭ ତାରିଖ ସୁଦ୍ଧା ମୌସୁମୀ ଦେଶରେ ପହଞ୍ଚି ପାରେ ବୋଲି ଆକଳନ କରାଯାଇଛି। ଦେଶର ଅଧିକାଂଶ ସ୍ଥାନରେ ହିଟ୍ ୱେଭ୍ ପ୍ରବାହିତ ହେଉଥିବାବେଳେ ମୌସୁମୀ ଶୀଘ୍ର ଆସିବା କଥା ଆଶ୍ବସ୍ତି ଆଣିଛି। ମେ ୧୧ ତାରିଖରେ ରାଜସ୍ଥାନର ବାଡ଼ମେର୍ରେ ତାପମାତ୍ରା ୪୭. ୩ ଡିଗ୍ରିରେ ପହଞ୍ଚି ଥିଲା। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଦକ୍ଷିଣ ଭାରତର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଭାରତରେ କେରଳରେ ପ୍ରଥମେ ମୌସୁମୀ ଛୁଇଁଥାଏ। କେରଳରେ ମୌସୁମୀ ଛୁଇଁବା ପରେ ଦେଶରେ ଗ୍ରୀଷ୍ମଋତୁ ଶେଷ ହୋଇଥାଏ ବୋଲି ଅନୁମାନ କରାଯାଏ।










