ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଖର୍ଚ୍ଚ କାଟ ଉପଦେଶ ତଥା ଦେଶର ଭୁଶୁଡି ପଡୁଥିବା ଅର୍ଥନୀତିକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସମ୍ମିଳନୀକୁ ସମ୍ବୋଧିତ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଲେ, ଯେଉଁ ଆସନ୍ନ ବିପଦର ସନ୍ଦେହ ଅନେକ ଭାରତୀୟ ତଥା ବିଦେଶୀ ଅର୍ଥନୀତିଜ୍ଞ କରୁଥିଲେ ତାହା ଆଜି ଘଟିଛି l ସରକାରଙ୍କ ବେହିସାବ ଖର୍ଚ୍ଚ ତଥା ଆଡମ୍ବରପୂର୍ଣ୍ଣ କାର୍ଯ୍ୟକଳାପକୁ ଲକ୍ଷ କରି ବିରୋଧୀ ଦଳ ନେତା ସାଂସଦ ମାନନୀୟ ରାହୁଲ ଗାନ୍ଧୀ ଅନେକ ସମୟରେ ଦେଶର ଅର୍ଥନୀତି ପାତାଳମୂଖୀ ହେଉଛି ବୋଲି ସରକାରଙ୍କୁ ସତର୍କ କରୁଥିଲେ ତାହା ଆଜି ପ୍ରମାଣିତ ହୋଇଛି l 2014 ୟୁପିଏ ସରକାର ସମୟରେ ଦେଶ ଉପରେ ମୋଟ 55 ଲକ୍ଷ କୋଟି ଋଣଭାର ଥିଲା ଯାହା 2026 ରେ 197 ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି l
ବିଗତ 10 ବର୍ଷରେ ମୋଦୀ ସରକାର ଭାରତୀୟ ଅର୍ଥନୀତିକୁ ପଙ୍ଗୁ ଅବସ୍ଥାକୁ ନେଇଆସି ସାଧାରଣ ଜନତାଙ୍କୁ ଖର୍ଚ୍ଚକାଟ କରିବାକୁ ଉପଦେଶ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ l ପ୍ରଧାନମନ୍ତ୍ରୀ ମୋଦୀ ଜନତାଙ୍କୁ ପେଟ୍ରୋଲ ଖର୍ଚ୍ଚ କମାଇବା, ସୁନା ଗୋଟିଏ ବର୍ଷ ପର୍ଯ୍ୟନ୍ତ କିଣିବାକୁ ବାରଣ, ୱାର୍କ ଫ୍ରମ ହୋମ, ବିଦେଶ ଭ୍ରମଣ ନକରିବା ଆଦି ଅନୁରୋଧ କରିଛନ୍ତି l ପ୍ରକୃତରେ ସେ ଇରାନ ଯୁଦ୍ଧ ଆଳରେ ଦେଶର ଭୁଶୁଡି ଯାଉଥିବା ଅର୍ଥନୀତିକୁ ଲୁଚାଇବାକୁ ବୃଥା ପ୍ରୟାସ କରୁଛନ୍ତି l ଭାରତୀୟ ମୁଦ୍ରା ତୁଳନାରେ ଡଲାରର ଅହେତୁକ ବୃଦ୍ଧି ହେଉଛି ମୂଳ କାରଣ l ଯେହେତୁ ପେଟ୍ରୋଲିୟମ ଡଲାର ବିନିମୟରେ କ୍ରୟ କରାଯାଉଛି ତେଣୁ ଖର୍ଚ୍ଚଭାର ଅସମ୍ଭାଳ ହେବ l ଅନ୍ୟ ଏକ ବିଷୟ ହେଲା, ସରକାରଙ୍କ ମନ୍ତ୍ରୀଙ୍କ ବିଳାସମୟ ଜୀବନ ଯାପନ, ଆମ ମୁଖ୍ୟମନ୍ତ୍ରୀ 20 କିଲୋମିଟର ଯିବାକୁ ମଧ୍ୟ ହେଲିକେପ୍ଟର ବ୍ୟବହାର l ତାଙ୍କ ଦଳର ସଭା ସମିତିରେ ହଜାର ହଜାର ମୋଟର ଗାଡି ବ୍ୟବହାର l ଖୋଦ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଉପଦେଶ ଦେଇ ପାଞ୍ଚ ଦିନିଆ ୟୁରୋପ ଗସ୍ତ କଣ ସୂଚାଉଛି l ନିଜେ ସଂଯମତା ରକ୍ଷାକରି ଉଦାହରଣ ସୃଷ୍ଟି କରନ୍ତୁ l ତା ହେଲେ ଯାଇ ଲୋକେ ଅନୁସରଣ କରିବେ l 2014 ରୁ ପ୍ରଧାନମନ୍ତ୍ରୀ ଯେଉଁ ଅମୃତକାଳ ବୋଲି ପ୍ରତି ଭାଷଣରେ କହୁଥିଲେ କଣ ଏହି ଅର୍ଥନୈତିକ ଦୁରାବସ୍ଥା ଅମୃତକାଳ କି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ ପଚାରିଛନ୍ତି l ତେଣୁ କଂଗ୍ରେସ ଦାବୀ କରୁଛି, ସରକାର ଦେଶର ବର୍ତ୍ତମାନ ଅର୍ଥନୀତିକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରୁ l ଡବଲ ଇଞ୍ଜିନ ସରକାର ଉଭୟେ ପ୍ରକାଶ କରନ୍ତୁ l ଦେଶର ପ୍ରକୃତ ଆର୍ଥିକ ଅବସ୍ଥା ଲୋକଙ୍କ ଆଗରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ କାନୁନଗୋ ଦାବୀ କରିଥିଲେ l ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l










