29.1 C
Bhubaneswar
Tuesday, May 12, 2026
Homeଓଡିଶାଝାରସୁଗୁଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ୍ ମେଧାବୀଙ୍କୁ ସମ୍ବର୍ଦ୍ଧନା ସମାରୋହ

ଝାରସୁଗୁଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ୍ ମେଧାବୀଙ୍କୁ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ବର / ଝାରସୁଗୁଡ଼ା: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲାର ଏ ୱାନ୍ ଗ୍ରେଡ୍ ରଖିଥିବା ଅର୍ଥାତ୍ ଶତକଡ଼ା ନବେ ପ୍ରତିଶତରୁ ଅଧିକ ରଖିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଆହୁରି ସମୃଦ୍ଧ ଓ ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବା ନିମନ୍ତେ ଉତ୍ସାହିତ କରିଥିଲେ l

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି, “ଏକ ବିକଶିତ ତଥା ‘ନୂଆ ଓଡ଼ିଶା’ ଗଠନ ପାଇଁ ସଫଳ, ସୁଦକ୍ଷ ତଥା ସୁନାଗରିକଙ୍କର ଏକାନ୍ତ ଆବଶ୍ୟକତା ରହିଛି। ବିଦ୍ୟାଳୟ ହେଉଛି ‘ମଣିଷ ତିଆରି କାରଖାନା’ ଏବଂ ଶିକ୍ଷକମାନେ ହେଉଛନ୍ତି ଏହାର ନିପୁଣ କାରିଗର। ଶିକ୍ଷା କ୍ଷେତ୍ରରେ ଝାରସୁଗୁଡା ଯେପରି ସମଗ୍ର ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏକ ଦୃଢ଼ ‘ରୋଡ୍ ମ୍ୟାପ୍’ ପ୍ରସ୍ତୁତ କରନ୍ତୁ ଏବଂ କୌଣସି ବି ଛାତ୍ର ଯେପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦିଅନ୍ତୁ। ଝାରସୁଗୁଡ଼ା ଜିଲ୍ଲା କ୍ରମାଗତ ଭାବେ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ ହେଉଛି ଏବଂ ଏହା ପାଖରେ ଆହୁରି ଅଧିକ ସଫଳ ହେବା ନିମନ୍ତେ ପ୍ରଚୁର ସାମର୍ଥ୍ୟ ଏବଂ ସମ୍ଭାବନା ଅଛି l ଆଜି ସଫଳ ହେଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜର ବଡ଼ ସ୍ଵପ୍ନ ପୂରଣ କରି ଝାରସୁଗୁଡ଼ା ଜିଲ୍ଲାର ସେବା କରିବା ସହ ଜିଲ୍ଲାର ଉନ୍ନତି ନିମନ୍ତେ ନିଶ୍ଚିତ ଉଦ୍ୟମ କରି ନିଶ୍ଚୟ ସଫଳ ହୁଅନ୍ତୁ l” ଏହି ଅବସରରେ ଚାରି ଜଣ ମେଧାବୀ ଛାତ୍ରଛାତ୍ରୀ ପାୟଲ ସାହୁ, ବର୍ଷାରାଣୀ ସାହା, ନମନ ପ୍ରଧାନ, ସୁଦାମ ବେହେରା ମଞ୍ଚରେ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ମାନ୍ୟବର ମନ୍ତ୍ରୀ ସେମାନଙ୍କ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଲକ୍ଷ୍ୟ ହାସଲ ଦିଗରେ ଅଧିକ ପରିଶ୍ରମ କରି ନିଶ୍ଚିତ ସଫଳ ହେବାକୁ ପ୍ରେରଣା ଦେଇ ଝାରସୁଗୁଡ଼ା ଜିଲ୍ଲା ତଥା ସମଗ୍ର ରାଜ୍ୟ ନିମନ୍ତେ ଗୌରବ ଆଣିବାକୁ ଉପଦେଶ ଦେଇଥିଲେ l ଏଥିସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ମଧ୍ଯ ମାନ୍ୟବର ମନ୍ତ୍ରୀ କଥା ହୋଇ ସେମାନଙ୍କ ପ୍ରୟାସକୁ ଉତ୍ସାହିତ କରିଥିଲେ l

ଝାରସୁଗୁଡ଼ା ଜିଲ୍ଲା ଶିକ୍ଷାଧିକାରୀ ଡ. ରାଧାକାନ୍ତ ଗଡତିଆ ଝାରସୁଗୁଡ଼ା ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଶିକ୍ଷା ବିଭାଗର ସଫଳ ପ୍ରୟାସ ‘ଉନ୍ମେଷ’ର କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ପ୍ରତିବର୍ଷ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ଵର୍ ରଖିଥିବା ପିଲାମାନଙ୍କ ମଧ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ ୧୦୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆବାସିକ ଶିବିରରେ ସ୍ଵତନ୍ତ୍ର ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି l ଚଳିତ ବର୍ଷ ମଧ୍ଯ ଜିଲ୍ଲାର ୧୮ଜଣ ବରିଷ୍ଠ ଶିକ୍ଷକଙ୍କ ଦ୍ୱାରା ଆବାସିକ ଶିବିରର ଆୟୋଜନ କରାଯାଇ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଯାଇଥିଲା l ପ୍ରତ୍ୟେକ ଶିକ୍ଷକ ଚାରିଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପୋଷ୍ଯ ଭାବେ ଗ୍ରହଣ କରି ସେମାନଙ୍କ ମେଣ୍ଟର୍ ଭାବେ ପ୍ରସ୍ତୁତି ସମୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ସେହିପରି ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମଧ୍ଯ ଏହି ଶିବିର ପରିଦର୍ଶନ କରି ପିଲାମାନଙ୍କ ସହ ନିଜର ବ୍ୟକ୍ତିଗତ ଛାତ୍ର ଜୀବନର ପରିଶ୍ରମ, ପରୀକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ଅନୁଭୂତି ବାଣ୍ଟିବା ସହ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିଥିଲେ l ଏଥିସହିତ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଗତ ସେପ୍ଟେମ୍ବର୍ ମାସ ଠାରୁ ବିଦ୍ୟାଳୟ ଶିକ୍ଷାଦାନ ନିର୍ଘଣ୍ଟ ସମୟ ବ୍ୟତିରେକ ଅତିରିକ୍ତ ଏକ ଘଣ୍ଟାର ରିମେଡିଆଲ୍ କ୍ଲାସ୍ କରାଯାଇ ଅପେକ୍ଷାକୃତ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ଵ ଦିଆଯିବା ସହ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପାଠ୍ୟକ୍ରମ ବିଷୟରେ ଥିବା ସନ୍ଦେହ ଦୂର କରାଯାଉଥିଲା l ଏହାର ଫଳସ୍ଵରୁପ ଝାରସୁଗୁଡ଼ା ଜିଲ୍ଲା ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରି ଏ ୱାନ୍ ଗ୍ରେଡରେ ୭୮ଜଣ ଏବଂ ଏ ଟୁ ଗ୍ରେଡରେ ୩୮୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସମଗ୍ର ରାଜ୍ୟରେ ଗୌରବ ଆଣିଛନ୍ତି l ସେହିପରି ‘ପରଫର୍ମିଂ ଗ୍ରେଡିଂ ଇଣ୍ଡେକ୍ସ’ରେ ଝାରସୁଗୁଡ଼ଆ ଜିଲ୍ଲା ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ପାସ୍ ହାରରେ ଚତୁର୍ଥ ସ୍ଥାନରେ ରହିବାରେ ସକ୍ଷମ ହୋଇଛି l ଜିଲ୍ଲାର ସମୁଦାୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦ ପ୍ରତିଶତ ପିଲା ଶତକଡ଼ା ୬୦ରୁ ଅଧିକ ପ୍ରତିଶତ ମାର୍କ୍ ରଖି କୃତକାର୍ଯ୍ୟ ହେବା ଜିଲ୍ଲାର ଶିକ୍ଷା ବିଭାଗ ତଥା ସମୁଦାୟ ଶିକ୍ଷକ ସମାଜର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି l ଚଳିତ ବର୍ଷ ଝାରସୁଗୁଡା ଜିଲ୍ଲାରେ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି, ଯାହା ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ। ସେହିପରି ପୂର୍ବତନ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରଭାଣେଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ଉଦିଆଁ ତାରା’ ଅଭିଯାନର ଫଳପ୍ରସୂ ଭୂମିକା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ଏପରି ସଫଳତା ଲାଭ କରିବାରେ ସମର୍ଥ ହୋଇଛି l ଜିଲ୍ଲାର ମୋଟ ୧୨୦ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୬୫ଟି ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିବା ଜିଲ୍ଲା ପାଇଁ ଏକ ବଡ଼ ଉପଲବ୍ଧି।

ସରକାରୀ ଉଚ୍ଚ ବିଦ୍ୟାଳୟ, ମୁନିସିପାଲ୍ ହାଇସ୍କୁଲ (ଏକାତାଲି)ର ଛାତ୍ର ନମନ ପ୍ରଧାନ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ସୁଦାମ ବେହେରା ଉଭୟ ୯୬.୩୩ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିବା ସହ ସମଗ୍ର ଓଡ଼ିଶାର ଶ୍ରେଷ୍ଠ ୫ ଜଣ ମେଧାବୀଙ୍କ ମଧ୍ୟରେ ରହିଛନ୍ତି l ନମନ ଭବିଷ୍ୟତରେ IIT-JEE ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟିରେ ପାଠପଢ଼ିବାକୁ ଇଚ୍ଛା ପ୍ରକାଶ କରିବା ସହ ଜଣେ ସୁଦକ୍ଷ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ବେଳେ ସୁଦାମ NEET ପରୀକ୍ଷାରେ ସଫଳତା ପାଇ ଜଣେ ସଫଳ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମ୍ବର୍ଦ୍ଧନା ସମାରୋହରେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଟଙ୍କଧର ତ୍ରିପାଠୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଲୋକସେବା ଭବନରୁ ମାନ୍ୟବର ମନ୍ତ୍ରୀଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ. ଏନ୍. ଥିରୁମାଲା ନାଏକ, ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରଭାଣେ, ଓପିଜିସିର ପରିଚାଳନା ନିର୍ଦ୍ଦେଶକ କେଦାର ପାଣ୍ଡେ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲା ବେଳେ ସଭା ସ୍ଥଳରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, TRLର CSR ମୁଖ୍ୟ ସନ୍ତୋଷ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଡ଼ ରାଧାକାନ୍ତ ଗଡ଼ତିଆ, ADEO, BEO ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଏବଂ କୃତୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking