ବାଲେଶ୍ୱର: ୧୫ କିମି ସାଇକେଲରେ ବୁହାହେଲା ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ନେଇ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ। ଫଳରେ ଗଣ୍ଡଗୋଳରେ ମାନସ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ କଟୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶକୁନ୍ତଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଗତ ୧୦ ତାରିଖରେ କମଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଖଇରା ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଆଜି କମଳାଙ୍କର ପରିବାର ଲୋକ ନିଜ ଗାଁ ହରିପୁର ଠାରୁ ଦୀର୍ଘ ୧୫ କିମି ରାସ୍ତା ସାଇକେଲରେ ମୃତଦେହକୁ ବାନ୍ଧି ଖଇରା ଥାନା ଯାଏଁ ଆଣିଥିଲେ। ସାଇକେଲରେ ମୃତଦେହ ବୁହାଇବା ଘଟଣା ବେଶ ହୃଦୟବିଦାରକ ହୋଇଥିବା ବେଳେ ଖଇରା ପୋଲିସ ରାସ୍ତାକୁ ଯାଇ ମୃତ ଦେହ ଆମ୍ବୁଲାନ୍ସରେ ନେବା ପାଇଁ ଅନୁରୋଧ କରିବା ପରେ ପରିବାର ଲୋକ ଜିଦରେ ଅଟଳ ଥିଲେ । ନ୍ୟାୟ ଦାବିରେ ଏହି ପ୍ରତିବାଦ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।










