ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ୬୫ତମ ବୈଠକଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାରୀ–ବେସରକାରୀ ଭାଗିଦାରିତାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପିପିପି ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ସ୍ୱାସ୍ଥ୍ୟ, ସ୍ୱେରେଜ୍ ଟ୍ରିଟମେଣ୍ଟ, ସହରୀ ବିକାଶ,ଜଳ ଯୋଗାଣ ଓ ପ୍ରାଣୀ ଟିକା ଉତ୍ପାଦନ ଭଳି ମୁଖ୍ୟ କ୍ଷେତ୍ରରେ ମୋଟ ୧୧୩୦ କୋଟି ଟଙ୍କା ବ୍ୟୟର ୫ଟି ନୂତନ ପିପିପି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେଚାଲୁଥିବା ପିପିପି ପ୍ରକଳ୍ପଗୁଡ଼ିକର ଅଗ୍ରଗତିସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ ସମ୍ପୃକ୍ତ ବିଭାଗ ଓ ପ୍ରକଳ୍ପ ପ୍ରାୟୋଜକ ସଂସ୍ଥାମାନଙ୍କୁ ପ୍ରକଳ୍ପ କାର୍ଯ୍ୟନ୍ୱୟନର ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ଦ୍ଧାରିତ ସମୟସୀମା ଓ ଯଥୋଚିତ ପ୍ରକ୍ରିୟା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ “ଭିଜନ୍ ୨୦୩୬” ଅଧୀନରେ ବେସରକାରୀ ନିବେଶ ଆକର୍ଷଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ସହ ବିକଶିତ ଓଡ଼ିଶା ଗଠନରେ ସାମଗ୍ରିକ ଭାବେ ନିରନ୍ତର ବିକାଶ ସାଧନ ପାଇଁ ପିପିପି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ କମିଟିରେ ରାଜ୍ୟରେ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକର ଏକ ସୁଦୃଢ଼ ବ୍ୟବସ୍ଥା ଓ ପିପିପି-ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଅର୍ଥ ବିଭାଗର ପିପିପି ସେଲ୍ ଓ ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ୍ ( ଆଇଏଫସି) ମଧ୍ୟରେ ସହଯୋଗକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି।










