ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା
ପୋଲିସ୍ ଉପସ୍ଥିତିରେ ପିଟି ପିଟି ମାରିଦେବା ଘଟଣା ଦୁର୍ଭାଗ୍ୟଜନକ
ଡବଲ ଇଞ୍ଜିନ ସରକାରରେ ପୋଲିସ୍ ଏତେ ଅସହାୟ କାହିଁକି ?
ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବି୍ରଜ୍ ନିକଟରେ ପୋଲିସ୍ର ଉପସ୍ଥିତିକୁ ଭୃକ୍ଷେପ ନ କରି ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଘଟଣା ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ଆଇନର ଶାସନ ଭୁଶୁଡ଼ି ପଡ଼ିଛି ବୋଲି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଗତ ୧ ସପ୍ତାହ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ଓ ହତ୍ୟାକାଣ୍ଡ ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ସରକାରକୁ ଆସିଲା ପରେ ରାଜ୍ୟ ଗୃହ ବିଭାଗର ଅପାରଗତା ଲାଗି ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଶାନ୍ତିପି୍ରୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଘଟୁଥିବା ହିଂସାକାଣ୍ଡ ପାଇଁ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହିଞ୍ଜିଳିରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଓ କଣାସରେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଆଜିର ଘଟଣା ପରେ ପୋଲିସ୍ ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ।
ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପ୍ରଚାର ସର୍ବସ୍ୱ ସରକାର ଆଇନର ଶାସନ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନହୀନ ହୋଇପଡ଼ିଥିବାର ଫଳ ପ୍ରତିଦିନ ରାଜ୍ୟବାସୀ ଭୋଗୁଛନ୍ତି । ସରକାରଙ୍କ ଅପାରଗତା ଲାଗି ରାଜ୍ୟରେ ଉଦ୍ବେଗଜନକ ଭାବେ ହିଂସାକାଣ୍ଡ ବୃଦ୍ଧି ପାଉଛି । ବିଭତ୍ସ ଘଟଣାମାନ ଘଟିଲା ପରେ ସରକାରଙ୍କ ନିଦ ଭାଙ୍ଗୁଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର କହୁଛନ୍ତି । କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି । ଏଭଳି ପରିସ୍ଥିତି ଲାଗି ରହିଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ । ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଡବଲ ଇଞ୍ଜିନ ସରକାର ହିଂସାକାଣ୍ଡ ରୋକିବାକୁ ପଦକ୍ଷେପ ନିଅନ୍ତୁ ।










