ଭୁବନେଶ୍ୱର: ବାଲିଅନ୍ତାରେ ଯୁବକଙ୍କୁ ପିଟି ମାରିବା ଘଟଣାରେ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏଥିରେ ୩ ପକ୍ଷ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି । ୨ ଯୁବତୀ ସ୍କୁଟିରେ ଯାଉଥିଲେ । ୨ ଯୁବକ ବାଇକରେ ଓଭରଟେକ କରିଥିଲେ । ଏହା ପରେ ବାଇକ ଫେରାଇ ଧକ୍କା ଦେଲେ । ଗାଁ ଲୋକ ଝିଅକୁ ଉଦ୍ଧାର କରିବାକୁ ଆସି ପିଟିଲେ । ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଛି, ଆଉ ଜଣଙ୍କର ଷ୍ଟେଟମେଣ୍ଟ ରେକର୍ଡ ହୋଇଛି । ଯୁବତୀ ମଧ୍ୟ ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଏତଲା କରିଛନ୍ତି ।ମୃତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ଝିଅର ଷ୍ଟେମେଣ୍ଟର ମଧ୍ୟ ନିଆଯାଇଛି । ଯେଉଁମାନେ ମାଡ ମାରିଛନ୍ତି , ଚିହ୍ନଟ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କୁହାଯାଇଛି । ସୂଚନା ଥାଉକି,]
ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କ ସହ ମୋଟରସାଇକେଲ ଧକ୍କା କରିଥିଲେ । ଏହାଉପରେ ଏହି ଦୁର୍ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାର୍ଟିତୁଣ୍ଡ ହୋଇଥିଲା । ଏସବୁ ଭିତରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ଦୁଇ ଯୁବକ ସେମାନଙ୍କ ସହ ଅସଦାଚରଣ କରିଛନ୍ତି । ଏହି ଅଭିଯୋଗକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ । ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଂଚିବା ପରେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଶାନ୍ତ କରିବାରେ ପୁଲିସ ସକ୍ଷମ ହୋଇନଥିଲା । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଟି ପିଟି ହତ୍ୟା କରିଦେଇଛନ୍ତି । ମୃତକ ଜଣଙ୍କ ହେଲେ ଅଡ଼ଶପୁରର ସୌମ୍ୟରଂଜନ ସ୍ୱାଇଁ । ଅନ୍ୟଜଣେ ଯୁବକ ଓମ୍ ପ୍ରକାଶ ରାଉତ ଆହତ ହୋଇଛନ୍ତି । ତାଙ୍କୁ ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିଛି । ସେପଟେ ମୃତକଙ୍କ ମା’ ଅଭିଯୋଗ କରିଛନ୍ତି କି, ଏହା ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କ ରହିଥିବା ମୃତ ଯୁବକଙ୍କ ମା’ ଅଭିଯୋଗ କରିଛନ୍ତି ।










