32.1 C
Bhubaneswar
Saturday, May 2, 2026
Homeଓଡିଶାପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ରାଜ୍ୟରେ ୯୫.୩୩% ମୋଟ୍ ପାସ୍ ହାର

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ରାଜ୍ୟରେ ୯୫.୩୩% ମୋଟ୍ ପାସ୍ ହାର

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍‌ହାର ୯୫.୩୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍‌ହାର ୯୪.୦୩ % ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୬.୩୭ % ରହିଛି । ରାଜ୍ୟର ୩୩୧୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶନ ଅବସରରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଉପସ୍ଥିତ ରହି ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାର୍ଟିଫିକେଟ୍ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଫଳ ପ୍ରକାଶନ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ, ବୋର୍ଡ ସଭାପତି ଶ୍ରୀ ଶ୍ରୀକାନ୍ତ ତରାଇ, ଉପସଭାପତି ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ, ସଚିବ ଶ୍ରୀ ସରୋଜ କୁମାର ବେହେରା, କଣ୍ଟ୍ରୋଲର୍ ଶ୍ରୀ ଧରଣୀଧର ପାତ୍ରୋ ଉପସ୍ଥିତ ଥିଲେ ।

ଚଳିତବର୍ଷ ରେଗୁଲାର୍‌ରେ ୫ ଲକ୍ଷ ୪୪ ହଜାର ୬୭୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୩୬ ହଜାର ୩୦୭ ଜଣ ରେଗୁଲାର୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଏଥିରେ A1 ଗ୍ରେଡ୍ ରେ ୨୪୫୬ , A2 ଗ୍ରେଡ୍ ରେ ୧୫,୬୮୧, B1 ଗ୍ରେଡ୍ ରେ ୪୩,୫୬୫ ଜଣ, B2 ଗ୍ରେଡ୍ ରେ ୮୬,୧୦୩ ଜଣ, C ଗ୍ରେଡ୍ ରେ ୧ ଲକ୍ଷ ୨୯ ହଜାର ୮୧୩ ଜଣ ପାସ୍, D ଗ୍ରେଡ୍ ରେ ୧ ଲକ୍ଷ ୪୬ ହଜାର ୧୫୨ ଜଣ, E ଗ୍ରେଡ୍ ରେ ୯୫,୪୮୧ ରେ ହୋଇଛନ୍ତି । ସେହିପରି ମଧ୍ୟମାରେ ୩୩୫୮ ଜଣ ଫର୍ମ ପୂରଣ କରିଥିବା ବେଳେ ୨୯୮୨ ଜଣ ପରୀକ୍ଷା ଦେଇଥିଲେ । ମଧ୍ୟମାରେ ପାସ୍‌ହାର ରହିଛି ୮୭.୩ % । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (SOCS) ରେ ୧୦୦୪୩ ଜଣ ପରୀକ୍ଷା ଦେଇଥିବା ବେଳେ ୭୪୦୫ ଜଣ ପାସ୍ କରିଛନ୍ତି । ପାସ୍ ହାର ୫୯.୮୨ % ରହିଛି ।

ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୧ ପ୍ରତିଶତ ପାସ୍ ହାର ରହିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୯୪.୩୫ ପ୍ରତିଶତ ପାସ୍ ହାର ରହିଛି । ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୨୨%। ଜଗତସିଂହପୁରରେ ୯୭.୮୯ %, ଯାଜପୁରରେ ୯୪.୬୨ %, କେନ୍ଦ୍ରାପଡାରେ ୯୫.୯୭%, ରାୟଗଡାରେ ୯୬.୫%, ମାଲକାନଗିରିରେ ୯୫.୬୨ %, ନବରଙ୍ଗପୁର ରେ ୯୭.୪ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି, ଅନଗୁଳରେ ୯୫.୫୫ %, ଢେଙ୍କାନାଳରେ ୯୪.୫୩ %, ପୁରୀରେ ୯୬.୮ %, ଖୋର୍ଦ୍ଧାରେ ୯୭.୧୭%, ନୟାଗଡ଼ରେ ୯୬.୬୮ %, ବାଲେଶ୍ୱରରେ ୯୭.୭୧ %, ଭଦ୍ରକରେ ୯୬.୦୧%, କୋରାପୁଟରେ ୯୬.୫୮ %, ମୟୂରଭଞ୍ଜରେ ୯୭.୫୨% ପାସ୍‌ହାର ରହିଛି । ଗଞ୍ଜାମରେ ୯୮.୨୫%, ବୌଦ୍ଧରେ ୯୫.୫୮%, କନ୍ଧମାଳରେ ୯୮.୧୭%, କଳାହାଣ୍ଡିରେ ୯୭.୮୬%, ନୂଆପଡାରେ ୯୭.୮୭%, ବରଗଡ଼ରେ ୯୬.୪୧%, ସମ୍ୱଲପୁରରେ ୯୭.୭୯%, ଦେବଗଡ଼ରେ ୯୬.୨୬ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଝାରସୁଗୁଡାରେ ୯୭.୮୯%, ବଲାଙ୍ଗୀରରେ ୯୬.୬୮%, ସୋନପୁରରେ ୯୬.୨୧%, ସୁନ୍ଦରଗଡ଼ରେ ୯୭.୪୮% ପାସ୍ ହାର ରହିଛି ।

ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ । ଏଥିପାଇଁ OR10 < ROLL NUMBER > ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ । ମଇ ୧୧ ରୁ ମଇ ୨୨ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍‌ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛଆତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍‌ SOCS ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଏଥିସହ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟ www.bseodisha.ac.in ମାଧ୍ୟମରେ ମଇ ୮ ରୁ ମଇ ୧୮ ମଧ୍ୟରେ ଆବେଦନ କରିପାରିବେ, ଯାହାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking