କେନ୍ଦୁଝର: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍କୁ ନେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆରଡିସି। ସେ କହିଛନ୍ତି ପ୍ରାଥମିକ ସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି । ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି। ୧୧ଟା ୨୬ରେ ବ୍ୟାଙ୍କ ଆସିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି। ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଦେଇଛନ୍ତିି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି । କିନ୍ତୁ ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଆରଡିସି କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି। ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି। ଏସବୁ ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି। ତେଣୁ ଏହି ଘଟଣାରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସବୁ ଜାଣିଲା ପରେ ମୃତଦେହକୁ ପୁଲିସ୍ ଗାଡ଼ିରେ ନ ନେବା ମଧ୍ୟ ଭୁଲ ବୋଲି କହିଛନ୍ତି ଆରଡିସି। ସେପଟେ ଆଜି ଏହି ଘଟଣାରେ ଆରଡିସି ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ତଦନ୍ତ ପାଇଁ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ ପହଞ୍ଚିଛନ୍ତି।
ସୂଚନା ଅନୁଯାୟୀ ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗାଁର ଜିତୁ ମୁଣ୍ଡା(୫୦)ଙ୍କର ବଡ ଭଉଣୀ କାଲରା ମୁଣ୍ଡା (୫୬) ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଜମା ଥିବା ବଳଦ ବିକ୍ରି ପାଖାପାଖି ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ଏହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କ କୁ ଦଉଡି ଦଉଡି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ତାଙ୍କୁ ଭଉଣୀ କୁ ନେଇକି ଆସ ଟଙ୍କା ଦେବୀ କହିବାରୁ ଆଜି ଜିତୁ ମୁଣ୍ଡା ଭଉଣୀର ୩ ମାସର କଙ୍କାଳ ସାର ଶବକୁ କବରରୁ ବାହାର କରି ଏକ ବସ୍ତାରେ ପୁରାଇ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କୁ ଆଣି ପିଣ୍ଡା ରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ।










