ମୁନିଗୁଡ଼ା: ଗତ ବୁଧୁବାର ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପର୍ବତ୍ୟାଞ୍ଚଳ ଡ଼ଙ୍ଗରିଆ ଗ୍ରାମ ଗୋରଠାରେ ସାନଭାଇ ନିଜ ବଡ଼ଭାଇ ଗୁଲଟା ଜାକାସିକାକୁଟାଙ୍ଗିଆରେ ମାରିଦେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବଡ଼ ଭାଇ ଗୁଲଟା ଜାକାସିକା ଘଟଣା ସ୍ଥଳରେ ହିଁ ମୃତ୍ୟ ବରଣ କରିଥିବା ବେଳେ ସାନ ଭାଇ ଆଦୁ ଜାକାସିକା ଘଟଣା ପରେ ଫେରାର ହୋଇଯାଇଥିଲା। ଏନେଇ ଏସଡିପିଓ ସନ୍ତୋଷୀନି ଓରାମଙ୍କ ନିର୍ଦେଶକ୍ରମେ ମୁନିଗୁଡା ଥାନା ରେ ଏକ ମାମଲା ରୁଜୁକରି  ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସାନ ଭାଇକୁ ପୋଲିସ ଖୋଜୁଥିଲା।

ତେବେ ଶୁକ୍ରବାର ଦିନ ନିୟମଗିରି ପର୍ବତ୍ୟାଞ୍ଚଳର କଲ୍ୟାଣସିଂପୁର ଅଞ୍ଚଳରୁ ଗିରଫ କରିଥିବା ବେଳେ ଶନିବାର ଅଭିଯୁକ୍ତ ସାନ ଭାଇ ଆଦୁ ଜାକାସିକାକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ନେଇ ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ,ବୁଧବାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାର୍ବତ୍ୟାଞ୍ଚଳର ଗୋରଠା ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହଠାତ ସାନ ଭାଇ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ବଡଭାଇକୁ ଚୋଟ ମାରିଥିଲା। ଘଟଣା ସ୍ଥଳରେ ହିଁ ବଡ଼ ଭାଇର ମୃତ୍ୟୁ ଘଟିଥିଲା।