27.2 C
Bhubaneswar
Tuesday, April 21, 2026
Homeଓଡିଶାସିପିଆଇର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ସିପିଆଇର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଭୁବନେଶ୍ୱର: ବିଶିଷ୍ଟ ମାର୍କ୍ସବାଦୀ ତତ୍ତ୍ୱବିତ୍‌, ପ୍ରଚଣ୍ଡ ବାଗ୍ମୀ, ‘ନୂଆଦୁନିଆ’ର ପୂର୍ବତନ ସମ୍ପାଦକ, ଭଦ୍ରକ କଲେଜ ଛାତ୍ର ସଂସଦର ପ୍ରାକ୍ତନ ସମ୍ପାଦକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ବରିଷ୍ଠ ଶ୍ରମିକ ନେତା କମ୍ରେଡ ଦିବାକର ନାୟକଙ୍କ ରାଜ୍ୟ ସ୍ତରୀୟ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦିବାକର ନାୟକ ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ସମାରୋହରେ ସେ ପ୍ରାରମ୍ଭରେ ଦିବାକର ନାୟକଙ୍କ ସଂକ୍ଷିପ୍ତ ଜୀବନୀର ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସାମ୍ପ୍ରତିକ, ରାଜନୈତିକ ଓ ସାମାଜିକ ପରିସ୍ଥିତିର ଅବତାରଣା କରି ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ବିଭାଜନକାରୀ ଶକ୍ତି ବିରୁଦ୍ଧରେ ବାମ ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଶକ୍ତିର ମିଳିତ ଆନ୍ଦୋଳନ ହିଁ ଏହାର ମୁକାବିଲା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା “ସ୍ମୃତିରେ ସଂଗ୍ରାମୀ ଦିବାକର ନାୟକ” ସ୍ମରଣିକା ଉନ୍ମୋଚିତ ହୋଇଥିଲା।

ଏହି ସମାରୋହରେ ବରିଷ୍ଠ କଂଗ୍ରେସ ନେତା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ବକ୍ତବ୍ୟ ରଖି ୨୦୦୦ ମସିହାରେ ଭାରତର ସମ୍ବଳର ମୋଟ ଶତକଡ଼ା ୧୨ ଭାଗ ୧% ପୁଞ୍ଜିପତିଙ୍କଠାରେ ମହଜୁଦ ଥିଲାବେଳେ ଏବେ ଦେଶର ମୋଟ ସମ୍ବଳର ୪୬ ଭାଗ ସେହି ୧% ପୁଞ୍ଜିପତିଙ୍କ ପାଖରେ ଠୁଳ ହୋଇଅଛି। ଅନ୍ୟପକ୍ଷରେ ଦେଶରେ ଶ୍ରମିକ, କୃଷକଙ୍କ ଉପରେ ଶୋଷଣର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ସୂଚନା ଦେଇ ଏହି ଶୋଷଣ ବିରୁଦ୍ଧରେ କମ୍ରେଡ ଦିବାକର ନାୟକ ଜୀବନ ବ୍ୟାପୀ ଲଢ଼େଇ କରୁଥିଲେ ବୋଲି ମତ୍ତ ପୋଷଣ କରିଥିଲେ। ବର୍ତ୍ତମାନ ସମାଜରେ ଜଣେ କମ୍ୟୁନିଷ୍ଟ ହେବା ସହଜ ନୁହେଁ, ପୁଣି ସେହି ଆଦର୍ଶରେ ଜୀବନ ବ୍ୟାପୀ ରହିବା କଠୋର ସାଧନାଠାରୁ କମ୍ ନୁହେଁ। ଦେଶର ଯୁବପୀଢ଼ି ତାଙ୍କର ଆଦର୍ଶକୁ ଗ୍ରହଣ କରିପାରିଲେ ଦେଶର ବର୍ତ୍ତମାନର ସ୍ଥିତି ନିଶ୍ଚିତ ପରିବର୍ତ୍ତନ ହେବ ବୋଲି ପ୍ରକାଶ କରିଥିଲେ। ସିପିଆଇର ଅନ୍ୟତମ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ ମୋଦି ସରକାର ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରାଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ଦେଶ ଏକଚ୍ଛତ୍ରବାଦୀ ବ୍ୟବସ୍ଥା ଆଡ଼କୁ ଗତି କରୁଛି ବୋଲି କହିଥିଲେ ଏବଂ ଦିବାକର ନାୟକଙ୍କ ସଂଘର୍ଷ ଉକ୍ତ ଏକଚ୍ଛତ୍ରବାଦ ବିରୁଦ୍ଧରେ ଉତ୍ସର୍ଗୀକୃତ ଥିଲା। ଏହି ସମାରୋହରେ ସିପିଆଇ(ଏମ୍‌) ସମ୍ପାଦକମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ସିପିଆଇ(ଏମ୍‌ଏଲ) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ପିସିସିର ପ୍ରାକ୍ତନ ସଭାପତି ଜୟଦେବ ଜେନା, ସିପିଆଇର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ ଓ ଜୟନ୍ତ ଦାସ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ, ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ, ଉତ୍କଳ ମହିଳା ସମିତିର ବରିଷ୍ଠ ନେତ୍ରୀ ବନଲତା ଜେନା, ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣୀ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା ପ୍ରମୁଖ ବକ୍ତବ୍ୟ ରଖି ଦିବାକର ନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ତାଙ୍କ ଜୀବନର ଆଦର୍ଶବାଦକୁ ନେଇ ଯୁବପୀଢ଼ି ଆଗକୁ ଯାଇପାରିଲେ ହିଁ ସମାଜ ବ୍ୟବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ମତ୍ତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଶିକ୍ଷକ ସଙ୍ଗଠନର ସଭାପତି ଡ. ଅମିୟ ମହାନ୍ତି, ସିପିଆଇ ଭଦ୍ରକ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ନୂଆଦୁନିଆର ପରିଚାଳନା ସମ୍ପାଦକ କିଶୋର ଜେନା, ଉତ୍କଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରାମୋଦିନୀ ପାଇକରାୟ ଓ କୃଷ୍ଣପ୍ରିୟା ମିଶ୍ର, ଅଖିଳ ଭାରତ ଛାତ୍ରସଂଘର ସଭାନେତ୍ରୀ ସଂଘମିତ୍ରା ଜେନା, ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ, ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ, ଜଗତ୍‌ସିଂହପୁର ଜିଲ୍ଲା ସମ୍ପାଦକ ଅଜୟ ବେହେରା, ଇପ୍‌ଟାର ରାଜ୍ୟ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଓ ବିଜୟ ମହାନ୍ତି, କଟକ ନଗର କମିଟିର ସମ୍ପାଦକ ବିଦ୍ୟାପ୍ରସନ୍ନ ମହାପାତ୍ର, କମ୍ରେଡ଼ ଦିବାକର ନାୟକଙ୍କ ସୁପୁତ୍ର ବିଶ୍ୱଜିତ୍ ନାୟକଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାର୍ଟିର ବହୁ ନେତୃତ୍ୱ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଲେଖକ ପ୍ରମୁଖ ଉପସ୍ଥିତ ରହି ଏହି ସମାରୋହକୁ ସଫଳ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking